ପଞ୍ଚାୟତ ନିର୍ବାଚନ: ଦାୟିତ୍ବରେ ଅବହେଳା ନେଇ ଦୁଇ ନିଲମ୍ବିତ

ନିର୍ବାଚନ ପକ୍ରିୟାକୁ ସଠିକ୍ ଭାବେ ତ୍ଵରାନିତ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ତୀକ୍ଷ୍ମ ଦୃଷ୍ଟି ରଖିଥିବା ବେଳେ, ଏନେଇ ନିର୍ଦ୍ଦେଶ ମଧ୍ଯ ଜାରୀ କରିଛନ୍ତି । ଅନ୍ୟପଟେ ନିର୍ବାଚନ ଦାୟିତ୍ବରେ ଥିବା 2 ଜଣ ଅଧିକାରୀଙ୍କୁ ନିଲମ୍ବିତ କରଯାଇଛି । କାର୍ଯ୍ୟରେ ଅବହେଳା କରିବା ନେଇ ପୁରୀ ଜିଲ୍ଲାରେ ଦୁଇ ଜଣଙ୍କୁ ନିଲମ୍ବନ କରାଯାଇଛି । ସେମାନେ ହେଲେ କଣାସ ବ୍ଲକର କଣପୁର ପ୍ରକଳ୍ପ ପ୍ରାଥମିକ ବିଦ୍ଯାଳୟର ସହ ଶିକ୍ଷକ ଶେଖ୍ ନ୍ୟାମତୁଲ୍ଲା ଏବଂ ଗୋପ ତହସିଲର ଆର୍.ଆଇ ଜଗନ୍ନାଥ ବିଶ୍ବାଳ । ନିଲମ୍ବନ ସମୟରେ ନ୍ୟାମତୁଲ୍ଲାଙ୍କ କଣାସ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଜଗନ୍ନାଥ ବିଶ୍ବାଳଙ୍କୁ ଗୋପ ତହସିଲ ମୁଖ୍ୟ କାର୍ଯ୍ୟାଳୟରେ ରଖାଯାଇଛି । ବିନା ଅନୁମତିରେ ସେମାନେ ମୁଖ୍ୟ କାର୍ଯ୍ୟାଳୟ ଛାଡି ପାରିବେ ନାହିଁ । ନିମାପଡା ବିଡିଓଙ୍କ ସୁପାରିଶକୁ ଭିତ୍ତିକରି ଜିଲ୍ଲାପାଳ ଏହି ନିଲମ୍ବନ ଆଦେଶ ଦେଇଛନ୍ତି ଏବଂ ତୁରନ୍ତ ସେମାନଙ୍କୁ ନିଲମ୍ବନ କରାଯାଇଛି ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଗାଡି ମୁତୟନରେ ଅବହେଳା କରିଥିବାରୁ ୧୪ ଜଣ ଗାଡି ମାଲିକଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି ହୋଇଛି । ଅନୁରୋଧ ପରେ ମଧ୍ୟ ସଂପୃକ୍ତ ମାଲିକମାନେ ଗାଡି ମୁତୟନ ନ କରିବାରୁ ପୁରୀ ଜିଲ୍ଲାପାଳ ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୬୭ ଏବଂ ଓଡିଶା ଓମିନ ବସ୍ ଆଇନ ୧୯୮୪ର ଧାରା ୯ ଅନୁଯାୟୀ ପରୱାନା ଜାରି କରିଛନ୍ତି । ଏହି ଗିରଫ ପରୱାନା କାର୍ଯ୍ୟକାରୀ କରିବାକୁ ପୁରୀ ଓ ଖୋର୍ଦ୍ଧାର ଆରକ୍ଷୀ ଅଧିକ୍ଷକ ଏବଂ ଭୁବନେଶ୍ବର ଡିସିପିଙ୍କୁ ଅବଗତ କରାଯାଇଛି ।

Related Posts