ପୁଣି ଚର୍ଚ୍ଚାରେ ଅଭିନେତା ସୋନୁ ସୁଦ: ଦୁର୍ଘଟଣାରେ ଆହତ ଯୁବକଙ୍କୁ ଦେଲେ ନୂଆ ଜୀବନ

ଅଭିନେତା ସୋନୁ ସୁଦ ଏବେ ପୁଣିଥରେ ଚର୍ଚ୍ଚାରେ | ଲକ ଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ହିରୋ ତଥା ଭଗବାନ ପାଲଟିଥିବା ସୋନୁ ସୁଦ ଏବେ ପୁଣି ଚର୍ଚ୍ଚାରେ | ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଯୁବକକୁ ନୂଆ ଜୀବନ ଦେଇଛନ୍ତି ସୋନୁ | ପଞ୍ଜାବର ମୋଗା-ଭଟିଣ୍ଡା ରୋଡରେ ଦୁଇଟି କାର ମଧ୍ୟରେ ଭୟଙ୍କର ଧକ୍କା ହେବା ଫଳରେ ଜଣେ ଯୁବକ କାର ଭିତରେ ହିଁ ଫଶି ରହିଥିଲେ । ଆଉ ଏହି ସମୟରେ ସୋନୁ ସେହି ବାଟ ଦେଇ ଯାଉଥିବା ବେଳେ ଦୁର୍ଘଟଣାସ୍ଥଳରେ ଅଟକିବା ସହ ଯୁବକଙ୍କୁ କାର ଭିତରୁ ବାହାର କରି ଜୀବନ ବଞ୍ଚାଇଛନ୍ତି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଭୟଙ୍କର ଦୁର୍ଘଟଣା ପରେ କାର ଭିତରେ ଯୁବକ ଜଣକ ଗୁରୁତର ଆହତ ଅବସ୍ଥାରେ ଫଶି ରହିଥିଲେ । ଏହି ସମୟରେ ସୋନୁ ସେହି ବାଟରେ ଯାଉଥିବାରୁ ଗାଡି ଅଟକାଇ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ । କାର ଭିତରୁ ଯୁବକଙ୍କୁ ଉଦ୍ଧାର କରିବା ସହ ନିଜ ହାତରେ ଯୁବକଙ୍କୁ ଉଠାଇ ନିଜ କାର ଭିତରକୁ ନେଇଥିଲେ । ପରେ ଆହତ ଯୁବକଙ୍କୁ ହସ୍ପିଟାଲ ନେଇଥିଲେ ସୋନୁ । ଆଉ ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚିଥିବାରୁ ଯୁବକଙ୍କ ଜୀବନ ବଞ୍ଚି ଯାଇଥିଲା ।

ମିଡିଆ ରିପୋର୍ଟ ମୁତାବକ, ମୋଗା-ଭଟିଣ୍ଡା ରୋଡରେ ଦୁଇ କାର ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଥିଲା । ଦୁଇ କାର ପରସ୍ପରକୁ ଏତେ ଜୋରରେ ଧକ୍କା ଦେଇଥିଲେ ଯେ, କାର ଆଗ ପାଶ୍ୱର୍ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଏପରିକି ଆହତ ଯୁବକ ଜଣକ ଯେଉଁ ଗାଡିରେ ଫଶିଥିଲେ ତାହା ଦୁର୍ଘଟଣା ପରେ ସେଣ୍ଟ୍ରାଲ ଲକ ହୋଇଯାଇଥିଲା । ଯାହା ଫଳରେ ଯୁବକ ଜଣକ ବାହାରକୁ ଆସି ପାରିନଥିଲେ । ତେବେ ସୋନୁ କୌଣସି ମତେ ଆହତ ଯୁବକଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ।

Related Posts