ପୁଣି ଧର୍ମଘଟର ଡାକରା ଦେଲା ବ୍ୟାଙ୍କ କର୍ମଚାରୀ ସଂଘଠନ: ୨୩ ଓ ୨୪ ତାରିଖ ଧର୍ମଘଟ

ପୁଣିଥରେ ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଆସିବ ବ୍ୟାଙ୍କ କର୍ମଚାରୀ ସଂଘଠନ | ଦେଶର ସମସ୍ତ ଜାତୀୟକରଣ ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କର କର୍ମଚାରୀମାନେ ଏହି ଧର୍ମଘଟରେ ସାମିଲ ହେବେ | ଏନେଇ ଦୁଇ ଦିନ ବ୍ୟାଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବ ।

ଏହି କ୍ରମରେ ସେଣ୍ଟ୍ରାଲ ଟ୍ରେଡ ୟୁନିୟନ ଓ ଅନ୍ୟାନ୍ୟା ବ୍ୟାଙ୍କ କର୍ମଚାରୀ ସଂଘ ମିଳିତ ଭାବେ ଚଳିତମାସ ୨୩ ଓ ୨୪ ତାରିଖ ଧର୍ମଘଟ କରିବେ ବୋଲି ଘୋଷଣା କରିଛନ୍ତି । ଏହି ଧର୍ମଘଟରେ ଦେଶର ସମସ୍ତ ଘରୋଇ ଓ ଜାତୀୟକରଣ ବ୍ୟାଙ୍କର କର୍ମଚାରୀମାନେ ସାମିଲ ହେବେ ।

ଜାତୀୟକରଣ ବ୍ୟାଙ୍କକୁ ଘରୋଇ ମାଲିକାନା ହାତରେ ଟେକିଦେବାକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି । ଏନେଇ ପ୍ରଥମେ ୟୁନିୟନ ତରଫରୁ ଗତବର୍ଷ ଡିସେମ୍ବର ମାସ ୧୬ ଓ ୧୭ ତାରିଖ ଦୁଇଦିନ ଧରି ଧର୍ମଘଟ କରାଯାଇଥିଲା । ଏହି ସମୟରେ ଅନେକ ବ୍ୟାଙ୍କ ଗ୍ରାହକ ବ୍ୟାଙ୍କ ସେବାରୁ ବଞ୍ଚିତ ହୋଇଥିଲେ ।

ୟୁନିୟନ ଦାବି କରିଛି କି ସରକାର ଜାଣିଶୁଣି ଜାତୀୟକରଣ ବ୍ୟାଙ୍କକୁ ଘରୋଇ ମାଲିକାନା ହାତରେ ଟେକି ଦେଉଛନ୍ତି । ଏହାଦ୍ୱାରା ସାଧାରଣ ଗ୍ରାହକମାନେ ବ୍ୟାଙ୍କ ସେବା ଓ ବ୍ୟାଙ୍କରୁ ମିଳୁଥିବା ଲାଭରୁ ବଞ୍ଚିତ ହେଉଛନ୍ତି । ପରୋକ୍ଷରେ ଜାତୀୟକରଣ ବ୍ୟାଙ୍କଗୁଡିକ ଘରୋଇ ମାଲିକାନା ହାତକୁ ଚାଲିଯିବା ପରେ ସେମାନେ ମନଇଚ୍ଛା ସେବାକର ଆଦାୟ କରୁଥିବା ନେଇ ସଂଘ ଅଭିଯୋଗ କରିଛି ।

Related Posts