ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଦେଶବ୍ୟାପୀ ନିଟ୍ ସହ ବିଭିନ୍ନ ସାର୍ବଜନୀନ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶରେ ହଇଚଇ ସୃଷ୍ଟି ହୋଇଛି। ଏନେଇ ସାରା ଦେଶରେ ଛାତ୍ର ଅସନ୍ତୋଷ ବଢ଼ିଥିବାବେଳେ ଏହାରି ମଧ୍ୟରେ କେନ୍ଦ୍ର ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସୁରକ୍ଷିତ ଏବଂ ବିଶ୍ୱସନୀୟ କରିବା ଲକ୍ଷ୍ୟରେ ‘ସାର୍ବଜନୀନ ପରୀକ୍ଷା (ଅନୁଚିତ ଉପାୟ ନିବାରଣ) ସଂଶୋଧନ ବିଧେୟକ-୨୦୨୬’ ସୋମବାର ଲୋକସଭାରେ ଉପସ୍ଥାପିତ କରାଯାଇଛି । ନିଟ୍୍ ପ୍ରଶ୍ନପତ୍ର ଲିକ୍ ରୋକିବାକୁ ସଂସଦରେ ନୂଆ ବିଲ୍ ତଥା ପ୍ରିଭେନସନ ଅପ ଅନଫେୟାର ମିନସ ବିଲ୍ ଉପସ୍ଥାପିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ । ହଙ୍ଗାମା ଭିତରେ ଲୋକସଭାରେ ପାରିତ ହୋଇଛି ଆଣ୍ଟି ପେପର ଲିକ୍ ବିଲ। ବିରୋଧୀଙ୍କ ହୋହଲ୍ଲା, ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନପତ୍ର ନିରୋଧୀ ବିଲ୍ ଉପସ୍ଥାପିତ କରିଛନ୍ତି ସରକାର। ବିଲ୍ ଆଗତ ସମୟରେ ବିରୋଧୀ ପ୍ରବଳ ହୋହାଲ୍ଲା କରିଥିଲେ। ଏହା ପରେ ଅପରାହ୍ନ ୨ଟା ଯାଏ ଲୋକସଭାକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ଓମ୍ ବିର୍ଲା। ଉପସ୍ଥାପିତ ପେପର ଲିକ୍ ନିରୋଧୀ ବିଲରେ ୧୦ କୋଟିର ଜରିମାନା ସହ ୧୦ ବର୍ଷର ଜେଲଦଣ୍ଡ ବ୍ୟବସ୍ଥା ରହିଛି। ପ୍ରଶ୍ନପତ୍ର ଲିକ୍ ନିରୋଧୀ ବିଲ୍ରେ କଠୋର ଦଣ୍ଡ ବ୍ୟବସ୍ଥା- ପ୍ରଶ୍ନପତ୍ର ଲିକ୍ ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଥିବା ଭିତରେ କେନ୍ଦ୍ର ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଶ୍ନପତ୍ର ଲିକ୍ ନିବାରଣ ପାଇଁ ରହିଥିବା ଆଇନରେ ସଂଶୋଧନ ଅଣାଯାଇଛି। ଏ ଅପରାଧରେ ଦୋଷୀକୁ ୧୦ ବର୍ଷ ଯାଏ ଜେଲ୍ ଦଣ୍ଡ ସହ ୧୦ କୋଟି ଟଙ୍କା ଯାଏ ଜରିମାନା ଦେବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଶ୍ନପତ୍ର ଲିକ୍ ନିରୋଧୀ ଏହି ସଂଶୋଧନ ବିଲ୍କୁ ଅନୁମୋଦନ କରାଯାଇଥିଲା । ଆଜି ଲୋକସଭାରେ ବିଲ୍ ଆଗତ ହୋଇଛି । ବୈଠକରେ ସାର୍ବଜନୀନ ପରୀକ୍ଷା (ଅନିୟମିତତା ନିବାରଣ) ଆଇନ ୨୦୨୪ରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଥିଲା । ପ୍ରସ୍ତାବିତ ବିଲ୍ରେ ପ୍ରଶ୍ନପତ୍ର ଲିକ୍ କିମ୍ବା ପରୀକ୍ଷାରେ ଅନିୟମିତତା ମାମଲାର ଶୁଣାଣି ଫାଷ୍ଟ ଟ୍ରାକ କୋର୍ଟରେ କରାଯିବ ବୋଲି ଉଲ୍ଲେଖ ରହିଛି । ୩ ମାସ ଭିତରେ ବିଚାର ପରେ ଦଣ୍ଡ ଘୋଷଣା ହେବ । ସର୍ବାଧିକ ଜେଲ୍ ଦଣ୍ଡକୁ ୫ରୁ ୧୦ ବର୍ଷକୁ ବୃଦ୍ଧି କରାଯାଇଥିବା ବେଳେ ସର୍ବନିମ୍ନ ଜେଲ ଦଣ୍ଡକୁ ୩ରୁ ୫ ବର୍ଷ ବୃଦ୍ଧି କରାଯାଇଛି। ବର୍ତ୍ତମାନ ପ୍ରଚଳିତ ଆଇନ ଅନୁସାରେ ପ୍ରଶ୍ନପତ୍ର ଲିକ୍ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ଅଛି। ସେହିଭଳି ଯଦି ଅପରାଧ ବିଷୟରେ ସେବା ପ୍ରଦାନକାରୀ ନ ଜଣାନ୍ତି ତେବେ ତାଙ୍କୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ବର୍ତ୍ତମାନର ଆଇନଗତ ବ୍ୟବସ୍ଥା ରହିଛି। ଅନ୍ୟପଟେ ବିଧେୟକକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିରୋଧୀ ଦଳଗୁଡ଼ିକୁ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଏହା କୌଣସି ସାଧାରଣ ବିଧେୟକ ନୁହେଁ, ବରଂ ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସିଧାସଳଖ ଭାବେ ଜଡ଼ିତ।
