ନୂଆଦିଲ୍ଲୀ, (ସତ୍ୟପାଠ ବ୍ୟୁରୋ) : ଛାତ୍ର ଆନ୍ଦୋଳନରେ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁକ୍ଷ୍ୟ । ସମସ୍ତଙ୍କର ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାର ଅଧିକାର ଅଛି। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କଲେ ଲାଠିଚାର୍ଜ କରାଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଦେଶରେ ନିଟ୍ ପେପର ଲିକ୍‌କୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ବର୍ତ୍ତମାନ ତାହା ଥମିଯାଇଛି। କିନ୍ତୁ ସିଜେପି ଓ ବିଭିନ୍ନ ଛାତ୍ର ସଂଗଠନ ଦ୍ୱାରା ଜନ୍ତରମନ୍ତରରେ କରାଯାଉଥିବା ଆନ୍ଦୋଳନ ସମୟରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଚାରିଆଡେ ଅସନ୍ତୋଷ ସୃଷ୍ଟି ହୋଇଛି। ଏପରିକି ଛାତ୍ରମାନଙ୍କ ଉପରେ କାହିଁକି ଲାଠିଚାର୍ଜ କରାଗଲା ବୋଲି ପ୍ରଶ୍ନ କରିଥିଲେ ଲୋକସଭାରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ। ଏହି ସମୟରେ ସୁପ୍ରିମକୋର୍ଟ ଏକ ବଡ଼ ବୟାନ ଦେଇଛନ୍ତି। ଦିଲ୍ଲୀ ଜନ୍ତରମନ୍ତର ଛାତ୍ର ଆନ୍ଦୋଳନରେ ପୋଲିସର ଲାଠିଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ପ୍ରତ୍ୟେକ ନାଗରିକର ସାମ୍ବିଧାନିକ ଅଧିକାର। ଏହାକୁ କୌଣସି ପରିସ୍ଥିତିରେ ଅମାନ୍ୟ କରିହେବନି। ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ଲାଠିଚାର୍ଜ କରିବା କିମ୍ଵା ଅତ୍ୟଧିକ ବଳ ପ୍ରୟୋଗ କରିବା ଠିକ୍ ନୁହେଁ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ ଏହି ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଏହି ଖଣ୍ଡପୀଠରେ ଜଷ୍ଟିସ୍ ଜୟମାଲ୍ୟା ବାଗଚି ଏବଂ ଜଷ୍ଟିସ୍ ଭି ମୋହାନା ସାମିଲ ଥିଲେ। ସେହିପରି ଏହି ଆନ୍ଦୋଳନରେ କିଛି ପୋଲିସ କର୍ମୀ ଆହତ ହୋଇଥିଲେ। ସେମାନଙ୍କ ପରିବାର ପକ୍ଷରୁ ଯାଚିକା ଆବେଦନ କରାଯାଇଥିଲା। ସୁପ୍ରିମକୋର୍ଟ ଏନେଇ କହିଛନ୍ତି ଯେ, ସେ ଆନ୍ଦୋଳନକାରୀ ହୁଅନ୍ତୁ ଅବା ପୋଲିସ କର୍ମୀ, ପ୍ରତ୍ୟେକ ବ୍ୟକ୍ତିର ଜୀବନ ମୂଲ୍ୟବାନ। ସାରା ଦେଶରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ପାଇଁ ସମାନ ପ୍ରୋଟୋକଲ ହେବା ଉଚିତ୍। ଆନ୍ଦୋଳନ ପାଇଁ ଉଚିତ୍ ସ୍ଥାନ ନିର୍ଦ୍ଧାରଣ ହେବା ଉଚିତ୍ ଏବଂ ଅନାବଶ୍ୟକ ପ୍ରତିବନ୍ଧକ ନଲଗାଯିବା ଉଚିତ୍। ଯଦି ଆନ୍ଦୋଳନରେ ଅସାମାଜିକ ତତ୍ତ୍ଵ ସାମିଲ ହେଉଛନ୍ତି ତେବେ ସେମାନଙ୍କ ସହ ଭିନ୍ନ ଉପାୟରେ ମୁକାବିଲା କରିହେବ। ଏଥିପାଇଁ ସବୁ ଆନ୍ଦୋଳନକାରୀଙ୍କ ଉପରେ ବଳ ପ୍ରୟୋଗ କରିବା ଅନୁଚିତ୍। କୋର୍ଟ କହିଛନ୍ତି ଯେ, ଏହା କେବଳ ଦିଲ୍ଲୀର କଥା ନୁହେଁ, ବରଂ ସାରା ଦେଶରେ ବିରୋଧ ପ୍ରଦର୍ଶନକୁ ନେଇ ସମାନ ବ୍ୟବସ୍ଥା ହେବା ଉଚିତ୍। ପ୍ରଧାନ ବିଚାରପତି କହିଛନ୍ତି ଯେ, ଏକ ଦୃଢ଼ ଗଣତାନ୍ତ୍ରିକ ବ୍ୟବସ୍ଥା ବଜାୟ ରଖିବା ପାଇଁ ଆତ୍ମ-ଶୃଙ୍ଖଳା ଅତ୍ୟନ୍ତ ଜରୁରୀ। ସେ ସମସ୍ତ ପକ୍ଷଙ୍କୁ ନିରପେକ୍ଷ ଭାବରେ କୋର୍ଟକୁ ସହାୟତା କରିବାକୁ ନିବେଦନ କରିଛନ୍ତି। କୋର୍ଟ ମଙ୍ଗଳବାର ଏହି ମାମଲା ସହିତ ଜଡିତ ସମସ୍ତ ଆବେଦନର ଶୁଣାଣି କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି।