କେନ୍ଦୁଝର, (ସତ୍ୟପାଠବ୍ୟୁରୋ) : ପ୍ରବଳ ବର୍ଷା ଯୋଗୁ କେନ୍ଦୁଝର ଜୁଡିଆ ଘାଟିରେ ଭୂସ୍ଖଳନ ହୋଇଛି । ପାହାଡ଼ରୁ ବଡ଼ ବଡ଼ ପଥର ଓ ମାଟି ଖସି ଜାତୀୟ ରାଜପଥ-୪୯ର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଅବରୋଧ ହୋଇଯାଇଛି । କେନ୍ଦୁଝର ସହରରେ ଲଗାଣ ବର୍ଷା ପରେ ଜୁଡିଆ ଘାଟିର ବିଭିନ୍ନ ସ୍ଥାନରେ ପାହାଡ଼ରୁ ପଥର ଖସିଥିଲା । ଫଳରେ ରାଜପଥର ଗୋଟିଏ ପାର୍ଶ୍ୱରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ଗୋଟିଏ ପାର୍ଶ୍ୱରେ ଯାନବାହନ ଚଳାଚଳ କରୁଥିବାରୁ ଉଭୟ ଦିଗର ଯାତାୟାତକୁ ନେଇ ସମସ୍ୟା ସୃଷ୍ଟି ହେଉଛି। ସବୁଠାରୁ ବଡ଼ କଥା ହେଉଛି, ଘଟଣାକୁ ପ୍ରାୟ ୧୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ରାସ୍ତାରୁ ପଥର ଓ ମାଟି ସଫେଇ କାମ ସମ୍ପୂର୍ଣ୍ଣ ହୋଇନଥିବା ଅଭିଯୋଗ ହୋଇଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲଗାଣ ବର୍ଷା ଜାରି ରହିଥିବାରୁ ଜୁଡିଆ ଘାଟିରେ ପୁଣି ପଥର ଖସିବାର ଆଶଙ୍କା ମଧ୍ୟ ରହିଛି। ଏଭଳି ସ୍ଥିତିରେ ରାଜପଥରେ ଯାତାୟାତ କରୁଥିବା ଗାଡ଼ି ଚାଳକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ତେବେ ରାସ୍ତାରୁ ଶୀଘ୍ର ପଥର ଓ ମାଟି ସଫା କରି ଯାତାୟାତକୁ ସ୍ୱାଭାବିକ କରିବା ସହ ଜୁଡିଆ ଘାଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଦାବି ହୋଇଛି।
