ବଲାଙ୍ଗୀରରେ ପୋଲିସର ଜନ ସମ୍ପର୍କ ଶିବିର ଅନୁଷ୍ଠିତ, ଗ୍ରାମବାସୀଙ୍କୁ କମ୍ବଳ ଓ ମଶାରି ବଣ୍ଟନ ସହ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା

ସତ୍ୟପାଠ 24/12 ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ମାଓ ପ୍ରବଣ ଅଞ୍ଚଳର ମହଖଣ୍ଡ ଗାଁରେ ତୁରେକେଲା ପୋଲିସର ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ପୋଲିସ ଏବଂ ଗ୍ରାମବାସୀ ମାନଙ୍କ ମଧ୍ୟରେ ନିବିଡ ସମ୍ପର୍କ ସ୍ଥାପନ କରିବା ହେତୁ ଜନ ସମ୍ପର୍କ ପୋଲିସର ଏକ ନିଆରା ପ୍ରୟାସ । ଏହି ଶିବିରରେ ମହଖଣ୍ଡ ଗାଁ ସହ ଆଖପାଖ ଅଞ୍ଚଳର ପ୍ରାୟ ୧୦ ଖଣ୍ଡ ଗାଁର ଲୋକ ସାମିଲ ହୋଇଥିଲେ । ଲୋକଙ୍କ ମନୋରଂଜନ ପାଇଁ ପୋଲିସ ଟିମ ଏବଂ ଅନ୍ୟ ଗାଁର ଯୁବକ ମାନଙ୍କୁ ନେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ମହଖଣ୍ଡ ଦଳ ବିଜୟୀ ହୋଇଥିଲା । ତୁରେକେଲା ଡାକ୍ତରଖାନାର ସହଯୋଗରେ ଏକ ସ୍ୱାସ୍ଥ୍ୟ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଶିବିରରେ ଯେଉଁମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଥିବା ତାଙ୍କୁ ଆବଶ୍ୟକ ଅନୁସାରେ ଔଷଧ ମଧ୍ୟ ଦିଆଯାଇଥିବା ଦେଖାଯାଇଥିଲା । କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କନ୍ଦେଲକେଲ, ତୁରେକେଲାରେ ନୁତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରି ପ୍ରଣୟ ମୁର୍ମୁ ସହ ଅନ୍ୟ ପୋଲିସ କର୍ମଚାରୀ ଏହି ଶିବିର କେମିତି ସଫଳ ହେବ ସେନେଇ ଉଦ୍ୟମ କରିଥିଲେ ।

ଶିବିରରେ ସାମିଲ ହୋଇଥିବା ବୃଦ୍ଧା ବୃଦ୍ଧା ମାନଙ୍କୁ କମ୍ବଳ, ଟର୍ଚ୍ଚ ଲାଇଟ, ଛତା, ମଶାରି ବଣ୍ଟନ କରାଯାଇଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟକ୍ରମ ଉପକରଣ, ଯୁବକ ମାନଙ୍କୁ ଟି-ସାର୍ଟ ଦିଆଯାଇଥିଲା । ସମସ୍ତ ଲୋକଙ୍କ ପାଇଁ ଖାଇବାର ବ୍ୟବସ୍ଥା ମଧ୍ୟ ପୋଲିସ ପକ୍ଷରୁ କରାଯାଇଥିଲା । ତେବେ ଶିବିରରେ ନୁତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀଙ୍କ ଫୋନ ନମ୍ବର ସମସ୍ତଙ୍କୁ ଦିଆଯାଇଥିଲା । ଯଦି କୌଣସି ଘଟଣା ଦୁର୍ଘଟଣା ନିଜ ପାଖରେ କିମ୍ବା ନିଜ ସହ ହେଲେ ତୁରନ୍ତ ଫୋନ କରିବାକୁ ଲୋକଙ୍କୁ ସଚେତନ କରାଯାଇଥିଲା । ଯାହାର କେହିଁ ନାହିଁ ତାହାର ପୋଲିସ ଅଛି ବୋଲି ବର୍ତମାନ ସମୟର କଣ୍ଟାବାଞ୍ଜି ଥାନା ଅଧିକାରୀ କହିଥିଲେ ।

Related Posts