ବିଜେପିର ନିର୍ବାଚନୀ ଗୋଟି: ଅବୁଝା ମନୋହର ପାରିକରଙ୍କ ପୁଅ ଉତ୍ପଳଙ୍କୁ ବଡ ଅଫର

ଗୋଆ ବିଧାନସଭା ନିର୍ବାଚନରେ ବିଜେପିର ଗୋଟି ଚାଳନା | ସମସ୍ତ ଆସନ ନିଜ ଅକ୍ତିଆରକୁ ଆଣିବାକୁ ରାଜନୀତି ଚାଲ ଖେଳିଛି ବିଜେପି | ସେପଟେ ବିଜେପି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁତ୍ର ଉତ୍ପଳ ପାରିକର | ଗତ କିଛି ଦିନ ଧରି ବିଦ୍ରୋହୀ ଭୂମିକାରେ ପାରିକରଙ୍କ ପୁତ୍ର ଉତ୍ପଳ ପାରିକର ଥିବା ବେଳେ, ତାଙ୍କୁ ମନେଇବା ପାଇଁ ବିଜେପି ରାଜନୀତି ଚାଲ ଖେଳିଛି | ତାଙ୍କୁ ବିଜେପି ନୂଆ ଅଫର ଦେଇଛି । ଯଦି ଉତ୍ପଳ ପାନାଜୀ ଆସନ ଛାଡିଦିଅନ୍ତି ତେବେ ତାଙ୍କୁ ଆହୁରି ଭଲ ସୁଯୋଗ ମିଳିବ ବୋଲି ଦଳ କହିଛି ।

ବିଜେପି ଯେଉଁ ଅଫର୍ ଦେଇଛି ସେଥିରେ ଅନ୍ୟ ବିଧାନସଭା ଆସନରୁ ଲଢିବା ଓ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପଦ ରହିଛି । କିନ୍ତୁ ଏବେସୁଦ୍ଧା ଉତ୍ପଳ ବିଜେପିର ଅଫର ବାବଦରେ କିଛି ସ୍ପଷ୍ଟ କରିନାହାଁନ୍ତି ।

ବିଜେପି ପାନାଜୀ ଆସନରୁ ବର୍ତ୍ତମାନର ବିଧାୟକ ମୋନସେରାଟ୍ ଆତାନାସିୟୋଙ୍କୁ ଟିକେଟ୍ ଦେବାକୁ ଚାହୁଁଛି । କିନ୍ତୁ ଉତ୍ପଳ ମୋନସେରାଟଙ୍କୁ ଦୁର୍ନୀତିଗ୍ରସ୍ତ କହି ବିରୋଧ କରୁଛନ୍ତି । ଏହି ସ୍ଥାନରୁ ସେ ନିଜେ ଠିଆ ହେବାକୁ ଚାହୁଁଛନ୍ତି । ଏପରିକି ସେ ନିଜ ସମର୍ଥକଙ୍କୁ ଧରି ପ୍ରଚାର ମଧ୍ୟ ଆରମ୍ଭ କଲେଣି ।

ଜଣେ ବିଜେପି ନେତା କହିଛନ୍ତି ଯେ, ଉତ୍ପଳଙ୍କୁ ଅନେକ ବିକଳ୍ପ ଦିଆଯାଇଛି । ସେ ଅନ୍ୟ କୌଣସି ଆସନରୁ ନିର୍ବାଚନ ଲଢିପାରନ୍ତି । ପାର୍ଟି ତାଙ୍କୁ ଜାତୀୟ ସ୍ତରରେ କୌଣସି ବଡ ପଦ ଦେବାକୁ ବିଚାର କରୁଛି । ଉତ୍ପଳ ଏହି ସବୁ ପ୍ରସ୍ତାବ ଉପରେ ବିଚାର କରିବା ଆବଶ୍ୟକ ।

ବିଜେପି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଉତ୍ପଳଙ୍କୁ ବୁଝାଇବା ପାଇଁ ପ୍ରୟାସ କରାଯାଉଛି । ଉତ୍ପଳ ପାନାଜୀ ଆସନରୁ ଲଢିବା ଜିଦ୍ ଛାଡି ଦିଅନ୍ତୁ । ପାରିକରଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା ହୋଇଛି । ସେମାନେ ଉତ୍ପଳଙ୍କୁ ମନାଇବା ପାଇଁ ପ୍ରୟାସ କରିବେ । ଦଳର ଆଭ୍ୟନ୍ତରୀଣ ସର୍ଭେରେ ଉତ୍ପଳ ପାନାଜୀରେ ହାରିବା ସମ୍ଭାବନା ରହିଛି । ସେ ଏଠାରୁ ଜିତି ପାରିବେ ନାହିଁ ବୋଲି ବିଜେପି କହିଛି |

Related Posts