ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ବିନା ଫିଟନେସ୍ରେ ଗାଡ଼ି ଚଳାଉ ଥିଲେ ସାବଧାନ। ଏ ନେଇ କଡ଼ା ନିଷ୍ପତ୍ତି ନେଇଛନ୍ତି ରାଜ୍ୟସରକାର। ବିନା ଫିଟନେସ୍ରେ ଗାଡ଼ି ଚଳାଇଲେ ଜବତ ହେବ। ସଡ଼କ ଦୁର୍ଘଟଣା ରୋକିବାକୁ ରାଜ୍ୟ ପରିବହନ ପ୍ରାଧିକରଣର ପକ୍ଷରୁ ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି। ଏଥିନେଇ ଆରଟିଏ, ଏଆରଟିଓ ଏବଂ ଏନଫୋର୍ସମେଣ୍ଟ ଅଧିକାରୀଙ୍କୁ ସର୍କୁଲାର ଜାରି ହୋଇଛି। ସର୍କୁଲାର ଅନୁସାରେ, ବିନା ଫିଟନେସ୍ ସାର୍ଟିଫିକେଟରେ ଚଳାଚଳ କରୁଥିବା ଗାଡ଼ି ବିରୋଧରେ କେବଳ ଜରିମାନା ଲାଗୁ ହେବ ନାହିଁ, ବରଂ ଆବଶ୍ୟକ ସ୍ଥଳେ ମୋଟର ଯାନ ଆଇନର ଧାରା-୨୦୭ ଅନୁଯାୟୀ ଗାଡ଼ି ଜବତ କରାଯିବ ।
ଏପ୍ରିଲ ୧ରୁ ଜୁନ ୩୦, ୨୦୨୬ ମଧ୍ୟରେ ହୋଇଥିବା ଯାଞ୍ଚରେ ସାରା ରାଜ୍ୟରେ ୧ଲକ୍ଷ ୬୪ହଜାର ୮୮୨ଟି ଚାଲାଣ କଟାଯାଇଥିଲେ ମଧ୍ୟ ମାତ୍ର ୪୨୮ଟି ଗାଡ଼ି ଜବତ ହୋଇଛି। ବିନା ଫିଟନେସ ସହିତ ପଞ୍ଜିକରଣ, ପରମିଟ୍ କିମ୍ବା ବୀମା ନିୟମ ଉଲ୍ଲଙ୍ଘନ କରୁଥିବା ଗାଡ଼ି ବିରୋଧରେ ମଧ୍ୟ କଡ଼ା ଆଭିମୁଖ୍ୟ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁଲିସ ସହ ସମନ୍ୱୟ ରଖି VAHAN ଓ e-Challan ଡ୍ୟାସବୋର୍ଡର ଆଲର୍ଟ ବ୍ୟବସ୍ଥାକୁ ମଧ୍ୟ ବ୍ୟବହାର କରାଯିବ। ସମସ୍ତ ଗାଡ଼ି ମାଲିକ ଓ ଚାଳକଙ୍କୁ ସଡ଼କ ସୁରକ୍ଷା ନିୟମ କଡ଼ାକଡ଼ି ପାଳନ କରିବାକୁ ଅନୁରୋଧ କରାଯାଇଛି।
