ଭୁବନେଶ୍ୱର(ସତ୍ୟପାଠବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ପୂର୍ବାଞ୍ଚଳ ପରିଷଦର ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ପୂର୍ବାଞ୍ଚଳ ପରିଷଦ ଅଧୀନରେ ଥିବା ବିଭିନ୍ନ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଆନ୍ତଃରାଜ୍ୟ ସମନ୍ୱୟ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ବୈଠକରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଆନ୍ତଃରାଜ୍ୟ ଜଳ ବଣ୍ଟନ, ସୀମାବର୍ତ୍ତୀ ଅଞ୍ଚଳର ପ୍ରଶାସନିକ ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତି, ପରିବହନ ବ୍ୟବସ୍ଥା, ଭିତ୍ତିଭୂମି ବିକାଶ, ଦୁର୍ଯ୍ୟୋଗ ପରିଚାଳନା ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମନ୍ୱୟ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିସ୍ତୃତ ମତବିନିମୟ ହୋଇଛି। ବିଭିନ୍ନ ରାଜ୍ୟ ମଧ୍ୟରେ ରହିଥିବା ସମସ୍ୟାର ସମାଧାନ ପାଇଁ ସମନ୍ୱିତ ପଦକ୍ଷେପ ଗ୍ରହଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ଏହି ବୈଠକ ମାଧ୍ୟମରେ ରାଜ୍ୟଗୁଡ଼ିକ ମଧ୍ୟରେ ପାରସ୍ପରିକ ସହଯୋଗ ବୃଦ୍ଧି ସହ ଦୀର୍ଘଦିନ ଧରି ରହିଥିବା ଆନ୍ତଃରାଜ୍ୟ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ଆଞ୍ଚଳିକ ବିକାଶକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଛି।