ସମ୍ବଲପୁର, (ସତ୍ୟପାଠବ୍ୟୁରୋ): ବିପଦସଂକୁଳ ଶ୍ରେଣୀଗୃହକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବର୍ଷ ବର୍ଷ ଧରି ଭଙ୍ଗାରୁଜା କୋଠରୀରେ ପିଲା ପାଠ ପଢ଼ୁଥିବା ଦେଖାଯାଇଛି। କେଉଁଠି କାନ୍ଥ ଫାଟି ଆଁ କରିଛି ତ କେଉଁଠି ଛାତରୁ ପାଣି ଗଳୁଛି। ଏଭଳି ଅବସ୍ଥାରେ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅମଙ୍ଗ ହେଉଛନ୍ତି ବାପାମାଆ। ଯାହାକୁ ନେଇ ପିଲାମାନେ ଓ ଅଭିଭାବକମାନେ ଉତ୍ତ୍ୟକ୍ତ ହୋଇ ସ୍କୁଲରେ ତାଲା ପକାଇଥିବା ଦେଖିବାକୁ ମିଳିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରୁ ଆସିଛି ଏଭଳି ଅଭାବନୀୟ ଚିତ୍ର । ଜମନକିରା ବ୍ଲକ ସର୍ବେଜାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ବିପଦସଂକୁଳ ଶ୍ରେଣୀଗୃହ ସମସ୍ୟାକୁ ନେଇ ଆଜି ବିଦ୍ୟାଳୟରେ ତାଲା ପକାଇଛନ୍ତି ଅଭିଭାବକ। ଅଭିଭାବକଙ୍କ ଅଭିଯୋଗ, ସ୍କୁଲର ଶ୍ରେଣୀଗୃହର ଅବସ୍ଥା ଦୀର୍ଘଦିନ ଧରି ଖରାପ ରହିଛି। ଏନେଇ ବାରମ୍ବାର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନାହିଁ । ଶେଷରେ ବାଧ୍ୟ ହୋଇ ଆଜି ଅଭିଭାବକମାନେ ସ୍କୁଲରେ ତାଲା ପକାଇଛନ୍ତି। ସ୍କୁଲରେ ତାଲା ପଡ଼ିବା ପରେ ଶ୍ରେଣୀଗୃହ ବଦଳରେ ବାହାରେ ବସି ପାଠ ପଢ଼ୁଛନ୍ତି କୁନି କୁନି ଛାତ୍ରଛାତ୍ରୀ। ବିପଦସଂକୁଳ ଘରେ ପିଲାଙ୍କୁ ପାଠ ପଢ଼ାଇବାକୁ ଅଭିଭାବକ ରାଜି ନଥିବା ବେଳେ, ତୁରନ୍ତ ସ୍କୁଲ ଶ୍ରେଣୀଗୃହର ମରାମତି କିମ୍ବା ନୂଆ ଶ୍ରେଣୀଗୃହ ନିର୍ମାଣ କରିବାକୁ ଦାବି ହୋଇଛି।
