ଭବାନୀପାଟଣା, (ସତ୍ୟପାଠବ୍ୟୁରୋ) : ମୁଁ ଆଜି ଅଲୋଡ଼ା। ଦିନ ଥିଲା ମାଲିକର ବୋଝ ବୋହୁ ଥିଲି, ଆଜି ମୁଁ ନିଜେ ମାଲିକ ପାଇଁ େବାଝ ପାଲଟିଛି। ବୁଢ଼ା େହାଇଗଲି ବୋଲି ମାଲିକ ମତେ ରାସ୍ତାକଡ଼ରେ ଛାଡ଼ି ଚାଲିଗଲା। ହେଲେ ମୋର ଏତିକିରେ ଦୁଃଖ ସରି ନଥିଲା। ରାସ୍ତାରେ ଅସହାୟ ଅବସ୍ଥାରେ ବୁଲୁଥିବା େବଳେ ଗୋଡ଼ ଉପରେ ମାଡ଼ିଗଲା ଗାଡ଼ି। ଏବେ ଭଙ୍ଗା ଗୋଡ଼ରେ ଯନ୍ତ୍ରଣାରେ ଛଟପଟ ହୋଇ ଭାଗ୍ୟକୁ ଆଦରି ପଡ଼ି ରହିଛି। ଏଇ କୌଣସି ମଣିଷର କାହାଣୀ ନୁହେଁ, ଏକ ବୃଦ୍ଧ େଘାଡ଼ାର ଦୁଃଖଭରା କାହାଣୀ। ସେପଟେ ଘୋଡ଼ାର ଦାୟିତ୍ୱ ନେବାରେ ପ୍ରାଣୀଧନ ବିଭାଗ ଏବଂ ବନ ବିଭାଗ ଠେଲାପେଲା ହେଉଥିବା ବେଳେ ନିରୀହ ଜୀବର ଏଠ ବଳି ପଡୁଛି। ଏଭଳି ହୃଦୟବିଦାରକ ଦୃଶ୍ୟ େଦଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବଳଧିଆମାଲଜୁନାଗଡ଼ ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ। ଯାହା ଦେଖଣାହାରୀଙ୍କୁ ବିଚଳିତ କରୁଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ବାହାର ରାଜ୍ୟର ଜଣେ ବ୍ୟକ୍ତି ଉକ୍ତ ଘୋଡ଼ାକୁ ନେଇ ବିଭିନ୍ନ ଅଞ୍ଚଳରେ ବୁଲାଉଥିଲା। ଛୋଟପିଲା, ଯୁବକଯୁବତୀ ଘୋଡ଼ା ପିଠିରେ ବସୁଥିଲେ। ଫଟୋ ମଧ୍ୟ ଉଠାଉଥିଲେ। ଏଥିରୁ ମିଳୁଥିବା ପାରିଶ୍ରମିକ ଯାଉଥିଲା ମାଲିକ ପକେଟ୍କୁ। ହେଲେ ଘୋଡ଼ାଟି ବୁଢ଼ା ହୋଇଯିବା ପରେ ଚାରିଦିନ ତଳେ ତାକୁ ଏହି ଅଞ୍ଚଳରେ ଛାଡ଼ି ପଳାଇଥିଲା। ରାସ୍ତାକଡ଼ରେ ବୁଲୁଥିବାବେଳେ ଦୁଇଦିନ ତଳେ ଏକ ଗାଡ଼ି ମାଡ଼ିଯିବାରୁ ଘୋଡ଼ାର ପଛପାର୍ଶ୍ୱ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ସେବେଠୁ ଆଘାତପ୍ରାପ୍ତ ଘୋଡ଼ା ବଳଦିଆମାଳ-ଜୁନାଗଡ଼ ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଛିଡ଼ା ହୋଇରହିଛି। ଚଲାବୁଲା କରି ପାରୁ ନ ଥିବାରୁ ଅସହ୍ୟ ଯନ୍ତ୍ରଣା ଭୋଗୁଛି। ମଝିରେ ମଝିରେ ରଡ଼ି ଛାଡୁଛି। ଏହା ଦେଖି ସ୍ଥାନୀୟ ସମ୍ବେଦନଶୀଳ ଲୋକେ ତା’ର ଚିକିତ୍ସା ଓ ଉଦ୍ଧାର ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ହେଲେ ପ୍ରାଣୀଧନ ବିଭାଗ କହିଛି, ଏହା ଆମ ଦାୟିତ୍ୱ ନୁହେଁ, ବନବିଭାଗ ବୁଝିବ। ବନ ବିଭାଗର କର୍ମଚାରୀ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି। ଗୋଟିଏ ପଟେ ମାଲିକର ସ୍ୱାର୍ଥପରତା ଏବଂ ଅନ୍ୟପଟେ ସରକାରୀ ବାବୁଙ୍କ ଦାୟିତ୍ୱ ଠେଲାଠେଲି ମଧ୍ୟରେ ରାସ୍ତାକଡ଼ରେ କ୍ଷତାକ୍ତ ଘୋଡ଼ା ଯନ୍ତ୍ରଣା ପାଉଛି। ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଘୋଡ଼ାର ଚିକିତ୍ସା କରାଇବାକୁ ସହ ନିର୍ଦ୍ଦୟ ମାଲିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
