ରାଉରକେଲା, (ସତ୍ୟପାଠବ୍ୟୁରୋ) : ରାଉରକେଲାର କଲୁଙ୍ଗା ଶିଳ୍ପାଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। କାବେରୀ ପେଣ୍ଟସ (ରଙ୍ଗ) କାରଖାନାରେ ହଠାତ୍ ନିଆଁ ଲାଗିଯାଇଥିଲା। ତେବେ ସଟ୍ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। କାରଖାନାରେ ରଙ୍ଗ ଓ ଇଥାନଲ ଭଳି ଦହନଶୀଳ ସାମଗ୍ରୀ ରହିଥିବାରୁ ନିଆଁ ଖୁବ୍ ଶୀଘ୍ର ଚାରିଆଡ଼େ ବ୍ୟାପିଯାଇଥିଲା। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିବା ପାଇଁ ମୋଟ ୫ଟି ଦମକଳ ନିୟୋଜିତ ହୋଇଥିଲା। ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ସମୟ ଧରି ନିଆଁ ଲିଭାଇବାରେ ଲାଗିଥିଲେ। ଅନ୍ୟପଟେ ଅଗ୍ନିକାଣ୍ଡର ଖବର ପାଇ କାରଖାନା ମାଲିକ ପପୁ ଜସ୍ୱାଲ ଓ ତାଙ୍କ ସହଯୋଗୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦହନଶୀଳ ସାମଗ୍ରୀ ଯୋଗୁଁ ଦ୍ରୁତ ଗତିରେ ବ୍ୟାପୁଥିବା ନିଆଁକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆଣିବା ପାଇଁ ନାକେଦମ ହୋଇଥିଲା ଅଗ୍ନିଶମ ବିଭାଗ।