ନୂଆଦିଲ୍ଲୀ: ଓମାନ ଉପକୂଳରେ ଏକ ଭାରତୀୟ ଜାହାଜ ବୁଡ଼ି ଯାଉଥିବାବେଳେ ଆମେରିକା ନୌସେନା ରକ୍ଷା କରିଛି। ଏକ ବଡ଼ ବିପଦ ଟଳି ଯାଇଥିବାବେଳେ ୧୪ ଜଣ ଭାରତୀୟ ନାଗରିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ୧୪ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ଏକ କ୍ଷୁଦ୍ର ଜାହାଜ ହଠାତ ବୁଡ଼ିବା ଆରମ୍ଭ କରିଥିଲା। ଏହା ପରେ ଆମେରିକା ନୌସେନା, ଭାରତୀୟ ନୌସେନା ଓ ନିକଟସ୍ଥ ଏକ ବାଣିଜ୍ୟିକ ଜାହାଜ ଜରୁରିକାଳୀନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସରକାରୀ ସୂତ୍ର ଅନୁସାରେ, ଓମାନର ରାସ୍ ଅଲ୍ ହାଦ୍‌ଠାରୁ ପ୍ରାୟ ୮୦ ନଟିକାଲ୍ ମାଇଲ୍ ପୂର୍ବରେ ଜାହାଜ ବିପଦରେ ପଡ଼ିଥିବା ଖବର ପାଇବା ପରେ ଆମେରିକା ନୌସେନା ଉପକୂଳ କର୍ତ୍ତୃପକ୍ଷ ଓ ଭାରତୀୟ ନୌସେନାକୁ ସତର୍କ କରାଇଥିଲା। ଆମେରିକା ନୌସେନାର ପି-୮ ସାମୁଦ୍ରିକ ପାଟ୍ରୋଲିଂ ବିମାନ ଜାହାଜ ନିକଟରେ ଏକ ଲାଇଫ୍ ରାଫ୍ଟ ପକାଇ ଜରୁରିକାଳୀନ ସାହାଯ୍ୟ କରିଥିଲା। ଜାହାଜ ବୁଡ଼ିବା ଆରମ୍ଭ ହେବା ପରେ କ୍ରୁ ସଦସ୍ୟମାନେ ଲାଇଫ୍ ରାଫ୍ଟରେ ଯାତ୍ରା କରିଥିଲେ। ଅଧିକାରୀମାନେ କହିଛନ୍ତି ଯେ, ଜାହଜରେ ଥିବା ସମସ୍ତ ୧୪ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।