ତେହେରାନ(ସତ୍ୟପାଠ ବ୍ୟୁରୋ): ଶାନ୍ତିଚୁକ୍ତି ନେଇ ଇରାନରେ କଠୋରପନ୍ଥୀଙ୍କ ଜୋର୍‌ଦାର ବିରୋଧ ପ୍ରଦର୍ଶନ। ଇରାନ ଓ ଆମେରିକା ମଧ୍ୟରେ ପ୍ରସ୍ତାବିତ ଶାନ୍ତି ଚୁକ୍ତିକୁ ବିରୋଧ କରିବା ପାଇଁ କଠୋରପନ୍ଥୀ ଇରାନୀ ଜନତା ଏକାଧିକ ସହରରେ ରାସ୍ତାକୁ ଓହ୍ଲାଇଛନ୍ତି। ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି ଓ ସଂସଦର ବାଚସ୍ପତି ମହମ୍ମଦ ବାଗେର ଗାଲିବାଫଙ୍କ ଉପରେ  ସେମାନେ କ୍ରୋଧ ପ୍ରକାଶ କରିଛନ୍ତି। ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ଏହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଇରାନର ଫାର୍ସ ନ୍ୟୁଜ୍ ଏଜେନ୍ସି ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ କଳା ଚାଦରରେ ଆବୃତ ମହିଳାମାନେ ନାଲି ଓ କଳା ପତାକା ହଲାଇ ବୈଦେଶିକ ମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଉଥିବା  ଦେଖାଯାଇଛି।  ‘ଅସମ୍ମାନଜନକ ଆପୋଷ ବୁଝାମଣାକାରୀ ଆରାଘଚି ମୁର୍ଦ୍ଦାବାଦ’, ‘ଆରାଘଚି, ଲଜ୍ଜା କର, ହାର ମାନିବା ବନ୍ଦ କର’ ଏବଂ ‘ଅନୁପ୍ରବେଶକାରୀ ଆରାଘଚି ମୁର୍ଦ୍ଦାବାଦ’ ସ୍ଲୋଗାନ ଦେଇ ପ୍ରତିବାଦକାରୀମାନେ  ସେମାନଙ୍କ କ୍ରୋଧ ପ୍ରକଟ କରିଥିଲେ। ତେହେରାନ ସମେତ ସମସ୍ତ ପ୍ରମୁଖ ସହରରେ ବିରୋଧ ପ୍ରଦର୍ଶନ କରାଯାଇଥିବା ରଏଟର୍ସ ରିପୋର୍ଟ କରିଛି। ପ୍ରଦର୍ଶନକାରୀମାନେ ୱାଶିଂଟନ ସହ ବୁଝାମଣା ପାଇଁ ଆରାଘଚିଙ୍କୁ ଦାୟୀ କରିଛନ୍ତି। ଆରାଘଚି ଆମେରିକା ସହ ଏକତରଫା ଭାବେ ଗୁପ୍ତ ବୁଝାମଣା କରିଥିବା  ଅନେକ ଆନ୍ଦୋଳନକାରୀ ଅଭିଯୋଗ ଆଣିଛନ୍ତି। ରିପୋର୍ଟ ଅନୁଯାୟୀ, କଠୋରପନ୍ଥୀ ଇରାନର ବ୍ୟକ୍ତିବିଶେଷମାନେ ଯୁକ୍ତି କରନ୍ତି ଯେ , ପ୍ରସ୍ତାବିତ ଚୁକ୍ତିନାମା ଇରାନର ସ୍ୱାର୍ଥବିରୋଧୀ ଏବଂ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀ ଉପରେ ଦେଶର ଦଖଲକୁ ଦୁର୍ବଳ କରିପାରେ। ସମାଲୋଚକମାନେ ଅଭିଯୋଗ କରିଛନ୍ତି ଯେ ୱାଶିଂଟନ ସହିତ ଏକ ଚୁକ୍ତିନାମା ହାସଲ କରିବା ପାଇଁ ଇରାନର ବୁଝାମଣାକାରୀମାନେ ଅତ୍ୟଧିକ ରିହାତି ଦେଇଛନ୍ତି।