ମଦଭାଟି ପାଲଟିଛି କୃଷି ସମବାୟ ସମିତି

(ସତ୍ୟପାଠ ବ୍ୟୁରୋ) ଯାଜପୁର: ଅଧିକ ମଦ ବିକ, ପୁରସ୍କାର ନିଅ, ରାଜ୍ୟ ସରକାରଙ୍କ ଏହି ନାରାକୁ ଯଦି ଭରପୁର କିଏ ପାଳନ କରିଛି ସେ ହେଲା ଯାଜପୁର ଜିଲ୍ଲା। ତାହା ପୁଣି ବବି ଦାସଙ୍କ ଖୋଦ ନିର୍ବାଚନମଣ୍ଡଳୀରେ। ବରୁହାଁ ସମବାୟ ସମିତି କାର୍ଯ୍ୟାଳୟ ଏବେ ମଦ ଭାଟି ପାଲଟିଛି। କୁହାଯାଉଛି ଧାନ କିଣିବା ବାହାନାରେ ଚାଷୀଙ୍କଠାରୁ ଲାଞ୍ଚ ନେଇ ମଦ ପିଉଛନ୍ତି ସମିତିର ଅଧିକାରୀ ଏବଂ କର୍ମଚାରୀ

ଚାଷୀଙ୍କଠାରୁ ଧାନ କିଣିବା ବଦଳରେ ସମବାୟ ସମିତି କାର୍ଯ୍ୟାଳୟରେ ଅୟସ କରୁଛନ୍ତି ଅଧିକାରୀ ଏବଂ କର୍ମଚାରୀ। ଏଭଳି ଘଟଣା ଘଟିଛି ଯାଜପୁର ବ୍ଲକ ବରୁହାଁ ସେବା ସମବାୟ ସମିତି କାର୍ଯ୍ୟାଳୟରେ ଯେଉଁଠି ଶହ ଶହ ମଦ ବୋତଲ ଜବତ ହୋଇଛି । ଏହି ସେବା ସମବାୟ ସମିତିରେ ପ୍ରକୃତ ଚାଷୀଙ୍କଠାରୁ ଧାନ ସଂଗ୍ରହ ହେଉନଥିବା ଅଭିଯୋଗ ହୋଇଛି। ଏନେଇ ଚାଷୀମାନେ ଯେତେବେଳେ ଅଭିଯୋଗ କରିବାକୁ କାର୍ଯ୍ୟାଳୟକୁ ଯାଇଥିଲେ, ସେତେବେଳେ ଅଫିସର ଛାତ ସମେତ ବିଭିନ୍ନ ସ୍ଥାନରେ ଶହ ଶହ ଦେଶୀ ଓ ବିଦେଶୀ ମଦ ବୋତଲ ପଡିଥିବା ଦେଖିବାକୁ ପାଇଥିଲେ । ତେବେ ଏତେ ପରିମାଣର ମଦ ବୋତଲ କିପରି ଆସିଲା ତାକୁ ନେଇ ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି । ସମବାୟ ସମିତି କର୍ମକର୍ତାମାନେ ଏତେ ପରିମାଣରେ ମଦ୍ୟପାନ କରି ବୋତଲଗୁଡିକୁ ଏଠାରେ ପକାଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଧାନ ବିକ୍ରି କରିବାକୁ ଯାଉଥିବା ଚାଷୀଙ୍କଠାରୁ ସମବାୟ କର୍ତ୍ତୃପକ୍ଷ ଲାଞ୍ଚ ନେଇ ଏପରି ମଦ୍ୟପାନ କରୁଥିବା ଭଳି ସଂଗୀନ ଅଭିଯୋଗ ଆସିଛି । ଏହି ଘଟଣାର ତଦନ୍ତ କରିବାକୁ ସାଧାରଣରେ ଦାବୀ ହୋଇଥିବା ବେଳେ ଏ ନେଇ ସମବାୟ କର୍ତ୍ତୃପକ୍ଷ ଉଦ୍ଦେଶ୍ୟମୂଳକ ଭାବେ ଅଭିଯୋଗ କରାଯାଉଥିବା ସଫେଇ ଦେଇଛନ୍ତି ।

Related Posts