ବିଜେପି ଓ କଂଗ୍ରେସକୁ ବୋକା ବନେଇଲେ ନବୀନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଗତ ଫବ୍ରୁଆରି 17ରେ ବିଧାନସଭାରେ ବିଜେଡି ସରକାରଙ୍କ ପକ୍ଷରୁ ଓବିସି କମିସନ ଆମେଣ୍ଡମେଣ୍ଟ ବିଲ୍‌ ପାସ୍‌ କରାଗଲା । ଏହାକୁ ନେଇ ବିଜେଡି ପକ୍ଷରୁ କୁହାଗଲା ଯେ ଏହା ନବୀନଙ୍କ ମ୍ୟାଜିକ୍ । ଯାହା 90 ବର୍ଷରେ ହୋଇନଥିଲା ତାହାକୁ 90 ମିନିଟ୍‌ରେ ନବୀନ ବାବୁ କରିଦେଲେ । କୁହାଗଲା ଯେ SCBC/OBCଙ୍କର ବିକାଶର ଆବଶ୍ୟକତା ଅଛି, ଆଉ ନିର୍ଦ୍ଦଷ୍ଟ ଡାଟା ବିନା ସେମାନଙ୍କର ବିକାଶ ସମ୍ଭବ ନୁହେଁ । ଏହାକୁ ନେଇ ପ୍ରଶ୍ନ ଉଠୁଛି ଯେ ବାସ୍ତବରେ 17 ତାରିଖରେ 90 ବର୍ଷ ବନାମ 90 ମିନିଟର ଯେଉଁ ମ୍ୟାଜିକ ହେଲା ଏହି ମ୍ୟାଜିକ ପଛୁଆ ବର୍ଗଙ୍କ ବିକାଶ ପାଇଁ ନା ବିରୋଧୀଙ୍କୁ ଚକ୍‌ମା ଦେବା ପଛରେ ନବୀନ ବାବୁ ଆଉ ବିଜୁ ଜନତା ଦଳ ଏକ ସୁନ୍ଦର ଯୋଜନା ରହିଛି । ଯେଉଁଥିରେ କି ଉଭୟ ବିଜେପି ଓ କଂଗ୍ରେସ ମାତ୍‌ ଖାଇଗଲେ ଆଉ ବାଟ ପାଇଲେ ନାହିଁ ।

  90 ବର୍ଷ ବନାମ 90 ମିନିଟ

ବିଧାନସଭାରେ ଯେତେବେଳେ ଏହି 90 ବର୍ଷ ବନାମ 90 ମିନିଟର ଚାଲ୍‌ ଖେଳାଗଲା ସେତେବେଳେ ଉଭୟ ବିଜେପି ଓ କଂଗ୍ରେସ କିଛି ବାଟ ପାଇଲେ ନାହିଁ । ଏହାର ସୁରାକ ବି ପାଇଲେ ନାହିଁ, କେମିତି ପ୍ରତିକ୍ରିୟା କରିବେ ତା’ର ବାଟ ବି ପାଇଲେ ନାହିଁ । ନବୀନ ବାବୁ ଯେଉଁ ଯନ୍ତା ବିଛାଇଲେ ସେଥିରେ ଆରାମରେ ବିଜେପି ଓ କଂଗ୍ରେସ ପଡ଼ିଗଲେ । କାରଣ ବିଜେପି ଓ କଂଗ୍ରେସ ଉଭୟ ଆଗାମୀ ଦିନରେ ରାଜନୈତିକ ସ୍ତରରେ ଠିକ୍‌ ରହିବା ପାଇଁ ଗୃହରେ ନବୀନ ବାବୁଙ୍କ ଓବିସି କମିସନ ଆମେଣ୍ଡମେଣ୍ଟ ବିଲ୍‌କୁ ସମର୍ଥନ କରିଦେଲେ । କିନ୍ତୁ ଚାମ୍ପିଅନ ହୋଇଗଲେ ନବୀନ ବାବୁ । ଅନେକ ସମୟରେ ନବୀନ ବାବୁଙ୍କ ଏଭଳି ପଦକ୍ଷେପକୁ ନେଇ ରାଜନୈତିକ ସମୀକ୍ଷକଙ୍କ କହିବା କଥା ଯେ ନବୀନ ବାବୁ ଅପରାଜେୟ ହୋଇ ରହିବାର ମୂଳ କାରଣଟି ମାଗଣା ଜିନିଷ ବାଣ୍ଟିବା ନୁହେଁ ବରଂ ତାଙ୍କର ଅତ୍ୟଧିକ ହୁସିଆରି ପଣ । କେଉଁ ସମୟରେ କ’ଣ କଲେ, କାହାକୁ କେମିତି ନିଜ ଆଡ଼କୁ ଆଣିଲେ କିମ୍ବା କିଏ ଚାଲ୍‌ ଖେଳିବା ଆଗରୁ ତାଙ୍କରି ଚାଲ୍‌ରେ ତାଙ୍କୁ ମାତ୍‌ ଦିଆଯାଇପାରିବ ସେଇ ପ୍ରୋଜେକ୍ସନ ନେଇ କାମ କରିବା । ବିରୋଧୀ କିଛି କରିବା ଆଗରୁ ଇଏ କରିବେ ଆଉ ତାକୁ ସମସ୍ତରେ ଅନୁକରଣ କରି କରିବେ ସେ କଥାଟି ନବୀନ ବାବୁ ବେଶ ଚତୁରତାର କରିଥାନ୍ତି ।

2024 ସାଧାରଣ ନିର୍ବାଚନ ପୂର୍ବରୁ ଏବେ ଅର୍ବାନ ଲୋକାଲ ବଡି ଏବଂ ତା’ ପରେ ପଞ୍ଚାୟତ ନିର୍ବାଚନ ହେବ । ସେଥିପାଇଁ ଏବେଠାରୁ ନବୀନ ବାବୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଯେହେତୁ ତାଙ୍କ ପାଖରେ ଆଉ କିଛି ନାହିଁ, ମାଗଣା ବଣ୍ଟା ସରିଛି, ମହିଳାଙ୍କ ପାଇଁ କରିସାରିଛନ୍ତି । ତେଣୁ ନବୀନ ବାବୁ ପ୍ରଥମେ ପଛୁଆ ବର୍ଗଙ୍କ ଉନ୍ନତି କରିବାକୁ ହେଲେ ପ୍ରଥମେ ଆଗାମୀ ଜନଗଣାରେ ସାମିଲ କରିବାକୁ କେନ୍ଦ୍ର ଆଗରେ ପ୍ରସ୍ତାବ ରଖିଲେ ଆଉ କେନ୍ଦ୍ର ସରକାର ଏହାକୁ ମନା କରିଦେଲେ । ଏହା ପଛରେ ବି ନବୀନ ବାବୁଙ୍କର ଆକଳନ ରହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଧର୍ମେନ୍ଦ୍ର ପ୍ରଧାନ ଭଳି ବଡ଼ ବଡ଼ ନେତା ଓବିସି ବର୍ଗର । ଆଉ ବିଜେଡି ଜାଣିଛି ଯେ ସଂଖ୍ୟାଲଘୁଙ୍କ ଭୋଟ ବି ତାଙ୍କ ପାଖରେ ନାହିଁ । ରାଜ୍ୟରେ ଆଦିବାସୀ ବି ଦୁଇ ଭାଗ ହୋଇଯାଇଛନ୍ତି । କିନ୍ତୁ ଉତ୍ତରପ୍ରଦେଶ ଏବଂ ବିହାରରେ ଯେଭଳି ବହୁଜନ ସମାଜବାଦୀ ପାର୍ଟି ହେଲା କି ଆରଜେଡି ହେଲା ସେମାନେ ଦଳିତ ଭୋଟକୁ ଯେଭଳି ହାତେଇବାରେ ସକ୍ଷମ ହୋଇଛନ୍ତି । ତାକୁ ନଜରରେ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ଖଣ୍ଡାୟତଙ୍କୁ ଭୋଟ ବ୍ୟାଙ୍କ ବନାଇବାକୁ ପାଇକମାନଙ୍କ କଥା ଉଠାଇଲେ । ପାଇକ ବିରୋଧକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ଆଖ୍ୟା ଦେବାକୁ ଷ୍ଟ୍ରାଟେଜି ବନେଇଲେ । ବିଶେଷ କରି ଖଣ୍ଡାୟତ ଚଷାଙ୍କ ସଂଖ୍ୟାରେ ରାଜ୍ୟରେ ପ୍ରାୟ 48 ପ୍ରତିଶତ । ଆଉ ଧର୍ମେନ୍ଦ୍ର ପ୍ରଧାନ ଯେହେତୁ ଖଣ୍ଡାୟତ ସେ SCBC ବର୍ଗରେ ଆସୁଛନ୍ତି ତେଣୁ ସେ ପ୍ରଥମେ ପାଇକଙ୍କୁ ଧରିଦେଲେ । କାରଣ ଓଡ଼ିଶାରେ ଖଣ୍ଡାୟତମାନେ ଖାସ୍‌ କରି ପାଇକମାନଙ୍କର ଯେହେତୁ ଟିକେ ଭଏସ ଅଛି ସେମାନେ ପୋଲାରାଇ ହୋଇପାରିବେ । କାରଣ ଓଡ଼ିଶାରେ OBC/ SCBC ନେତାଙ୍କର ଗୋଟିଏ ଅପରକାଷ୍ଟ ଭାବନା ରହିଛି ତେଣୁ ସେମାନେ ଆଗକୁ ଆସନ୍ତି ନାହିଁ କି ନିଜକୁ ପଛୁଆ ବର୍ଗ ବୋଲି କୁହନ୍ତି ନାହିଁ । ଉଦାହରଣ ଭାବେ କୁହାଯାଇପାରେ ଶ୍ରୀକାନ୍ତ ଜେନା, ଖାଳବେଳ ସ୍ବାଇଁ, ଚିରଞ୍ଜୀବ ବିଶ୍ବାଳ, କାହ୍ନୁ ଲେଙ୍କାଙ୍କ ଭଳି ବହୁ ନେତା ଅଛନ୍ତି ଯେଉଁମାନେ ଏହି ପ୍ରସଙ୍ଗ କେବେ ଉଠାଇନାହାନ୍ତି । କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ପ୍ରଥମ ଥର ପାଇଁ ପାଇକଙ୍କ ନାଁରେ ଖଣ୍ଡାୟତଙ୍କୁ ଏକ୍‌ଜୁଟ କରିବାକୁ ଚେଷ୍ଟା କଲେ । ଯାହାକୁ ଭଲ ଭାବେ ବୁଝିଛନ୍ତି ନବୀନ ତାଣୁ ରାଜ୍ୟରେ ଓବିସିଙ୍କୁ ପ୍ରଧାନବାବୁ ଧରିବାକୁ ଆଗରୁ ରାଜ୍ୟ ସରକାର କେନ୍ଦ୍ରକୁ କହିଲେ ଯେ ପଛୁଆବର୍ଗଙ୍କ ବିକାଶ ପାଇଁ ଆଗାମୀ ଜାତିଭିତ୍ତିକ ଜନଗଣନାରେ ଓବିସିମାନ ସାମିଲ କରନ୍ତୁ, କିନ୍ତୁ କେନ୍ଦ୍ର ମନା କରିଦେଲା । କେନ୍ଦ୍ର ସରକାର ଏହାକୁ ଖାରଜ କଲା ପରେ ରାଜ୍ୟର ବିଜେପି ନେତାମାନେ ଭାବୁଥିଲେ ଯେ କେନ୍ଦ୍ରରେ ତ ଆମ ସରକାର ଅଛି ନବୀନ ବାବୁ ଆମକୁ ଟପି ନବୀନ ବାବୁ କୁଆଡ଼େ ଯିବେ । ଏହା ପରେ ବିଜେପିର ରାଜ୍ୟ ନେତାମାନେ ପୁରା ଶୋଇପଡ଼ିଲେ, ସେମାନେ କେବେ ବି ଭାବିନଥିଲେ ଯେ ବିଧାନସଭାରେ ଏକ ସଂକଳ୍ପ ପାରିତ କରି ନବୀନ ବାବୁ ଏହାକୁ ଲାଗୁ କରିଦେବେ ବୋଲି ।
ସେପଟେ ଉତ୍ତରାଖଣ୍ଡ ସରକାରଙ୍କ ସପକ୍ଷରେ ସୁପ୍ରିମ କୋର୍ଟ ଯେଉଁ ରାୟ ଦେଲେ ଯେ ଦଳିତଙ୍କୁ ପ୍ରମୋସନ ଦେବା ବା ସଂରକ୍ଷଣ ଦେବା ରାଜ୍ୟ ବାଧ୍ୟ ନୁହେଁ ଏହା ରାଜ୍ୟର ଇଚ୍ଛାଧୀନ ବ୍ୟାପର ବୋଲି । ଠିକ୍‌ ଏହି ସମୟରେ ନବୀନ ବାବୁ ପକ୍ଷରୁ ଓବିସି କମିସନ ଆମେଣ୍ଡମେଣ୍ଟ ବିଲ୍‌ ପାସ୍‌ କରି ବିରୋଧୀଙ୍କୁ ଜଳକା କରିଦେଲେ ।

ଓବିସି ବିଲ୍‌ ଉପସ୍ଥାପନ ବେଳେ ନବୀନ ବାବୁ କହିଲେ ଯେ ପଛୁଆ ବର୍ଗଙ୍କ ଆର୍ଥିକ ଏବଂ ସାମାଜିକ ଉନ୍ନତି ପାଇଁ ଏକ ଭରସାଯୋଗ୍ୟ ରିପୋର୍ଟ ରହିବା ଆବଶ୍ୟକ, ଯାହା ଆମ ପାଖରେ ନାହିଁ । 1931 ମସିହା ଜନଗଣନାରେ ଓବିସିଙ୍କ ବାବଦରେ ଥିବା ତଥ୍ୟ 90 ବର୍ଷ ପୁରୁଣା । ଏହି ପୁରୁଣା ଡାଟା ସମାଜର ପଛୁଆ ବର୍ଗର ଲୋକଙ୍କ ପାଖରେ ପହଞ୍ଚିବା ଏବଂ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟକୁ ପହଞ୍ଚାଇବାକୁ ପର୍ଯ୍ୟାପ୍ତ ନୁହେଁ । ତେଣୁ ଓବିସି ବିଲ୍‌ ପାସ୍‌ କରି ପଲିଟିକାଲ ଗୁଗ୍‌ଲି ମାରିଲେ ନବୀନ । ଯାହାଙ୍କ ଶାସନକାଳରେ ସବୁଠୁ ଅଧିକ ଯଦି କେହି ଅବହେଳିତ ହୋଇଛନ୍ତି ସେମାନେ ହେଲେ ପଛୁଆ ବର୍ଗ । ତଥାପି ବିରୋଧୀ କିଛି ବୁଝିବା ଆଗରୁ କିମ୍ବା ପଛୁଆ ବର୍ଗଙ୍କୁ ଧରିବା ପୂର୍ବରୁ ନବୀନଙ୍କ ଏଭଳି ଗୁଗ୍‌ଲି ରାଜନୀତିରେ ତାଙ୍କର ସ୍ମାର୍ଟନେସ୍‌କୁ ଦର୍ଶାଉଛି ।
ଉତ୍ତର ଭାରତୀୟ ରାଜ୍ୟ ବିହାର, ଉତ୍ତର ପ୍ରଦେଶ ଏବଂ ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକ ଭଳି ଓଡ଼ିଶାରେ କାଷ୍ଟ ରାଜନୀତି କେବେ ପ୍ରମୁଖ ଭୂମିକା ହୋଇନାହିଁ । କିନ୍ତୁ ଏବେ ନବୀନଙ୍କ କାଷ୍ଟ ପଲିଟିକ୍ସ ବିରୋଧୀଙ୍କୁ ଚକିତ କରିଛି । କାରଣ ଓଡ଼ିଶାରେ 54% ପଛୁଆବର୍ଗ ଅଛନ୍ତି । ଏମାନେ ଯାହାକୁ ଚାହିଁବେ ଶାସନ ଗାଦିରେ ବସାଇ ପାରିବେ ଆଉ ଯେଉଁ ପାର୍ଟିକୁ ଚାହିଁବେ ସହଜରେ ହରାଇପାରିବେ । ସେହିଭଳି ରାଜ୍ୟରେ ଆଦିବାସୀଙ୍କ ସଂଖ୍ୟା 24 ପ୍ରତିଶତ ଥିବା ବେଳେ ଦଳିତଙ୍କ ସଂଖ୍ୟା 17 ପ୍ରତିଶତ ରହିଛି । ଏମାନେ ରାଜ୍ୟରେ ଯେତେ ନିର୍ବାଚନ ହୋଇଛି କେଉଁଥିରେ ବି ଜାତିକୁ ନେଇ ଭୋଟ ଦେଇନାହାନ୍ତି ବରଂ ସବୁବେଳେ ବିଜେଡିକୁ ସମର୍ଥନ କରିଆସୁଛନ୍ତି ।
ଶାସନରେ ଥିବା ବିଜୁ ଜନତା ଦଳ ଗତ 2000 ମସିହାରୁ ଲଗାତର ଭାବେ ଜିତି ଆସୁଛି । ଦଳ ଗଠନ ହେବା ପରେ ପ୍ରଥମ ଦୁଇଟି ଯାକ ନିର୍ବାଚନ ବିଜେପି ସହ ମେଣ୍ଟ କରି ଜିତିଥିବା ବେଳେ 2009 ପରଠାରୁ ମହିଳା ଭୋଟ ବ୍ୟାଙ୍କକୁ ପ୍ରମୁଖ ଅସ୍ତ୍ର କରିଛନ୍ତି ନବୀନ ବାବୁ । ମିଶନ ଶକ୍ତି ଏବଂ ଅନ୍ୟ ସମାଜ କଲ୍ୟାଣକାରୀ ଯୋଜନା କରି ଓଡ଼ିଶାର ମହିଳାଙ୍କୁ ନିଜ ଆଡ଼କୁ ଏବଂ ନିଜ ଦଳ ପ୍ରତି ଆକୃଷ୍ଟ କରି ରଖିପାରିଛନ୍ତି ନବୀନ । ଯାହାର ଫାଇଦା 2019 ସାଧାରଣ ନିର୍ବାଚନରେ ମିଳିଥିଲା ବିଜେଡିକୁ । ବିଜେଡି 113ଟି ସହ 44.7 ପ୍ରତିଶତ ଭୋଟ ପାଇ ରାଜ୍ୟର ପ୍ରଥମ ଦଳ ହୋଇଥିଲା । ସେପଟେ 2017 ପଞ୍ଚାୟତ ନିର୍ବାଚନ ପରାଠାରୁ ବିଜେଡିକୁ କଡ଼ା ଟକ୍କର ଦେଇଆସୁଛି ବିଜେପି । ଯାହାର ପ୍ରଭାବ 2019 ନିର୍ବାଚନରେ ବି ପଡ଼ିଥିଲା ଆଉ ଦଳ 23ଟି ଆସନରେ ବିଜୟ ହୋଇ ରାଜ୍ୟରେ ବିରୋଧୀ ଦଳର ଭୂମିକା ନିଭଉଛି ।
ସେପଟେ ରାଜନୀତି ସମୀକ୍ଷକଙ୍କ କହିବା କଥା ଯାଦିଓ ଏବେ ବିଜେଡି ପାଇଁ ନିର୍ବାଚନୀ ବିପଦ ନାହିଁ ତଥାପି ଦଳ କୌଣସି ପରିସ୍ଥିତିରେ କୌଣସି ବି ମୌକା ଛାଡ଼ିବାକୁ ଚାହୁଁନାହିଁ । 2019 ନିର୍ବାଚନରେ 36.5 ପ୍ରତିଶତ ଭୋଟ ପାଇ ରାଜ୍ୟରେ ନମ୍ବର 2 ପାର୍ଟି ହୋଇଛି ବିଜେପି । ବିଜେଡି ଏହି କଥାକୁ ଗୁରୁତ୍ବଦେବା ସହ ଜାଣିଛି ଯେ ଓଡ଼ିଶା ବିଜେପି ରାଡାରରେ ରହିଛି ଏବଂ ଆଗାମୀ ନିର୍ବାଚନରେ ବିଜେପି ଓବିସି କାର୍ଡ ଖେଳିବାର ସମ୍ଭାବନା ରହିଛି । ତେଣୁ ତାଙ୍କ ଆଗରୁ ଓବିସି କାର୍ଡ ଖେଳିଦେଲେ ନବୀନ ବାବୁ ।
ଚଳିତ ମାସ ଆରମ୍ଭରେ ଜାତୀୟ ପଛୁଆ ବର୍ଗ କମିସନର ଅଧ୍ୟକ୍ଷ ଭଗବାନ ଲାଲ ସାହନୀ ଓଡ଼ିଶା ଆସିଥିବା ବେଳେ ଓବିସି କମିସନ ଗଠନ କରାଯାଇନଥିବାରୁ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ । ଯଦିଓ 1983ରେ ରାଜ୍ୟରେ ପଛୁଆବର୍ଗ ବିଧାୟକ ପାରିତ ହୋଇଥିଲା । ତେବେ ଓଡ଼ିଶାରେ ବିଜେପିର କାଷ୍ଟ ପଲିଟିକ୍ସ କରିବା ଯୋଜନାକୁ ମାତ୍‌ ଦେବା ପାଇଁ ନବୀନ ବାବୁ ଓବିସି ବିଲ୍‌ ପାସ୍‌ କରି ବିରୋଧୀଙ୍କୁ ମାରିଛନ୍ତି ମାଷ୍ଟରଷ୍ଟ୍ରୋକ ।

ନବୀନ ବାବୁଙ୍କ କାଷ୍ଟ ପଲିଟିକ୍ସର ଆଉ ଏକ କାରଣ ହେଲା ବିଜେପି ଏବଂ ଧର୍ମେନ୍ଦ୍ର ପ୍ରଧାନ ଖଣ୍ଡାୟତ ଭୋଟ ବ୍ୟାଙ୍କ ପାଇଁ ଓଡ଼ିଶାରେ ଗତ ଦୁଇ ତିନି ବର୍ଷ ଧରି ଚେଷ୍ଟା ଜାରି ରିଖିଛନ୍ତି । ପାଇକ ବିଦ୍ରୋହ ପ୍ରସଙ୍ଗ ଉଠାଇବା ଏବଂ ପାଇକମାନଙ୍କ ପାଇଁ ଖୋର୍ଦ୍ଧା ବରୁଣେଇରେ ପାଇକମାନଙ୍କ ପାଇଁ ସ୍ମୃତି ସ୍ମାରକୀ କରିବା । ପ୍ରଧାନମନ୍ତ୍ରୀଙ୍କଠାରୁ ପାଇକମାନଙ୍କୁ ସମ୍ମାନିତ କରାଇବା ଏବସୁ କରି ପ୍ରଧାନ ବାବୁ ଖଣ୍ଡାୟତ ଭୋଟ ବ୍ୟାଙ୍କ ଉପରେ ପୂର୍ବରୁ ନଜର ରଖିଥିବା ନବୀନ ବାବୁ ଭଲ ଭାବେ ଜାଣିଛନ୍ତି । ତା’ଛଡ଼ା ପଛୁଆ ବର୍ଗଙ୍କୁ ବିଜେପି ନିଜ ଆଡ଼କୁ ନେବାର ଖବର ଯେବେ ନବୀନ ବାବୁଙ୍କ କାନରେ ପଡ଼ିଲା କାଳ ବିଳମ୍ବ ନକରି ଓବିସି ବିଲ୍‌କୁ ପାସ୍‌ କରିଦେଲେ ମାନ୍ୟବର । ଆଉ କହିଲେ ପଛୁଆ ବର୍ଗଙ୍କ ଉନ୍ନତି ବିନା ରାଜ୍ୟ ଆଗକୁ ଯାଇପାରିବ ନାହିଁ । ତେଣୁ 90 ବର୍ଷ ଧରି ପଡ଼ିରହିଥିବା କାମକୁ ତାଙ୍କ ସରକାର 90 ମିନିଟ୍‌ରେ କରି ଦେଖାଇଲେ ବୋଲି କହିଛନ୍ତି ନବୀନ ବାବୁ । ଏପରିକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ତୃତୀୟ ମହଲାରୁ ଏପରି ଏକ ମେସେଜ ରାଜ୍ୟବାସୀଙ୍କୁ ଦିଆଯାଇଛି, ଆଉ କୁହାଯାଉଛି ଏସବୁ ହେଉଛି ନବୀନଙ୍କ ମ୍ୟାଜିକ୍ ।

90 ବର୍ଷର କାମ 90 ମିନିଟ୍‌ରେ କରିବା କଥାକୁ ନେଇ ରାଜ୍ୟ ସରକାର ଏବଂ ନବୀନ ବାବୁଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ତଥା SCBC ଲିଡର ସତ୍ୟପ୍ରକାଶ ନାୟକ । ସେ କହିଛନ୍ତି ଯଦି ନବୀନ ବାବୁ ପଛୁଆ ବର୍ଗଙ୍କ ପାଇଁ ଏତେ ଚିନ୍ତିତ ଥିଲେ ଆଉ 90 ବର୍ଷର କାମକୁ 90 ମିନିଟ୍‌ରେ କରିପାରୁଛନ୍ତି ତେବେ 20 ବର୍ଷ ଧରି କ’ଣ କରୁଥିଲେ ? କାହିଁକି ପଛୁଆ ବର୍ଗଙ୍କ କଥା ଆଗରୁ ଚିନ୍ତା କରୁନଥିଲେ ? କାହିଁକି ଓବିସି କମିସନ ଗଠନ କରୁନଥିଲେ ? ଯଦି ପଛୁଆ ବର୍ଗଙ୍କୁ ସବୁଠୁ ଅଧିକ କିଏ ଅବହେଳା କରିଥାଏ ତେବେ ସେ ହେଲେ ନବୀନ ବାବୁ । ତାଙ୍କର 20 ବର୍ଷର ଶାସନ ଭିରେ ପଛୁଆ ବର୍ଗର ଲୋକଙ୍କୁ ପ୍ରତାରଣା ଛଡ଼ା ଆଉ କିଛି ଦେଇନାହିଁ ବିଜେଡି ସରକାର । ତେଣୁ ଏବେ ନବୀନ ବାବୁଙ୍କର ପଛୁଆ ବର୍ଗଙ୍କ ପାଇଁ ଚିନ୍ତା ଏକ ଭେଳିକି । ସେ କେବଳ 20 ବର୍ଷ ଧରି ରାଜନୈତିକ ଫାଇଦା ନେବାକୁ ସବୁବେଳେ ଚେଷ୍ଟା କରିଛନ୍ତି ବୋଲି କହିଛନ୍ତି ସତ୍ୟ।

Related Posts