ମମିତାଙ୍କ ହତ୍ୟାକାରୀଙ୍କୁ ଫାଶୀ ନମିଳିବା ଯାଏଁ ଲଢିବ କଂଗ୍ରେସ: ରଣଦୀପ ସୂର୍ଯ୍ୟେୱାଲା

ଭୁବନେଶ୍ବର : ମମିତା ମେହେର ହତ୍ୟା ମାମଲାରେ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା । ଆଜି କଳାହାଣ୍ଡି ଗସ୍ତ କରି ମମିତାଙ୍କ ପରିବାରକୁ ଭେଟିଛି କଂଗ୍ରେସର ଏକ ପ୍ରତିନିଧି ଦଳ । ଅସହାୟ ବାପା ମା’ଙ୍କୁ ଭେଟିବା ପରେ ଶାସକ ଦଳକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ।

ଓଡ଼ିଶାରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ, ନିର୍ଭୟା ଘଟଣାକୁ ପୁଣି ମନେପକାଇଦେଇଛି ବୋଲି କହିଛନ୍ତି ରଣଦୀପ ସୂର୍ଯ୍ୟେୱାଲା । ମହାପ୍ରଭୁ ଜଗନ୍ନାଥଙ୍କ ଏହି ପବିତ୍ର ରାଜ୍ୟ ଅପରାଧ ପ୍ରଦେଶରେ ପରିଣତ ହୋଇଯାଇଥିବା ସେ କହିଛନ୍ତି । ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ଏଠି ହତ୍ୟାକାରୀ ଏବଂ ଗୁଣ୍ଡା ଶାସନ ଗାଦିରେ ବସିଛନ୍ତି । କେବଳ ମମିତାଙ୍କ ହତ୍ୟା ହୋଇନି, ବରଂ ରାଜ୍ୟର ସବୁ ଝିଅଙ୍କ ସୁରକ୍ଷା ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ ଲାଗିଯାଇଛି । ତେବେ ମମିତାଙ୍କୁ ନ୍ୟାୟ ପାଇଁ ଲଢେଇ ଜାରି ରଖିବ କଂଗ୍ରେସ ।

ମମିତାଙ୍କ ହତ୍ୟାକାରୀଙ୍କୁ ଫାଶୀରେ ଝୁଲାଇ ଦେବାକୁ ଦାବି କରିଛି କଂଗ୍ରେସ । ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ଗୃହମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ । ଏବଂ ମମିତାଙ୍କ ପରିବାରକୁ ୧ କୋଟି ଟଙ୍କା ଦେବା ସହ ମମିତାଙ୍କ ଭାଇଙ୍କୁ ସରକାରୀ ଚାକିରି ପ୍ରଦାନ କରାଯାଉ । ଆଉ ଏହା ସହ ୯୦ ଦିନ ଭିତରେ ଆଇନଗତ ପ୍ରକ୍ରିୟା ଅନୁଯାୟୀ, ସମସ୍ତ ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ରଣଦୀପ ସୂର୍ଯ୍ୟେୱାଲା ।

ଦେଶରେ ଆଉ କେତେ ନିର୍ଭୟା ମରିବେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା । ସେ କହିଛନ୍ତି, ମମିତାଙ୍କୁ ନ୍ୟାୟ ନମିଳିବା ଯାଏଁ, ଚୁପ୍ ବସିବନି କଂଗ୍ରେସ । ଏଠି ଯେହେତୁ ରକ୍ଷକ ନିଜେ ଭକ୍ଷକ ସାଜିଛନ୍ତି, ତେଣୁ ମମିତାଙ୍କୁ କେମିତି ନ୍ୟାୟ ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି । ତେଣୁ ସେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି । ଏହା ସହ ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ଅଧୀନରେ ଏକ ଏସଆଇଟି ଗଠନ କରି ଏହି ମାମଲାରେ ତଦନ୍ତ କରିବାକୁ ସେ କହିଛନ୍ତି । ଆଗାମୀ ଦିନରେ କେବଳ ରାଜ୍ୟ ନୁହେଁ ପୂରା ଦେଶରେ ପ୍ରତିବାଦର ସ୍ୱର ଉଠିବ ବୋଲି କହିଛନ୍ତି କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା ।

Related Posts