ପୁରୀ (ସତ୍ୟପାଠ ବ୍ୟୁରୋ): ମାଉସୀ ମା’ ମନ୍ଦିରରେ ପୋଡ଼ପିଠା ଖାଇଲେ ଶ୍ରୀଜିଉ । ପ୍ରବିତ୍ର ବାହୁଡ଼ା ଯାତ୍ରାରେ ମହାପ୍ରଭୁଙ୍କର ଅନନ୍ୟ ନୀତିକାନ୍ତି ସମ୍ପନ୍ନ ହୋଇଛି । ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ି ଆସୁଥିବା ସମୟରେ ବଡ଼ଦାଣ୍ଡର ବଳଗଣ୍ଡିଠାରେ ଥିବା ମାଉସୀ ମା’ ମନ୍ଦିର ନିକଟରେ ତିନି ରଥ ଅଟକିଥିଲା । ସେଠାରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସ୍ୱୟଂ ମହାପ୍ରଭୁ ଜଗନ୍ନାଥ ମାଉସୀଙ୍କ ଦ୍ୱାରା ଅର୍ପିତ ସ୍ୱାଦିଷ୍ଟ ପୋଡ଼ପିଠା ଭୋଗ ସେବନ କରିଛନ୍ତି । ମାଉସୀ ଘରେ ପୋଡ଼ପିଠା ଖାଇବାର ଏହି ବର୍ଷ ବର୍ଷର ପରମ୍ପରା ପୂରଣ କରିବା ପରେ ତିନି ରଥ ପୁଣି ସିଂହଦ୍ୱାର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।
ପୁରୀ ବଡ଼ଦାଣ୍ଡରେ ଶ୍ରୀମନ୍ଦିର ଆଡ଼କୁ ଗଲାବେଳେ ବାମପଟେ ବଳଗଣ୍ଡିଠାରେ ଏହି ମନ୍ଦିର ଅବସ୍ଥିତ । ଏଠାର ଅଧିଷ୍ଠାତ୍ରୀ ଦେବୀ ‘ମାଉସୀ ମା’ (ଅର୍ଦ୍ଧାଶନୀ) ଜଗନ୍ନାଥଙ୍କ ସାକ୍ଷାତ୍ ମାଉସୀ ଭାବରେ ଜଣାଶୁଣା । ଏହି ଦେବୀଙ୍କ ମୂର୍ତ୍ତି କୃଷ୍ଣପଥରରେ ତିଆରି, ସେ ଦ୍ୱିଭୂଜା ଏବଂ ତାଙ୍କ ଦୁଇ ପାଖରେ ‘ଛାୟା’ ଓ ‘ମାୟା’ ନାମକ ଦୁଇ ପାର୍ଶ୍ୱଦେବୀ ବିରାଜମାନ । ମା’ଙ୍କ ରୂପ ଅବିକଳ ଦେବୀ ସୁଭଦ୍ରାଙ୍କ ପରି ଦୃଶ୍ୟମାନ ହୋଇଥାଏ, କାରଣ ମୂର୍ତ୍ତିର କଟିଦେଶ ଉପରକୁ ଆଚ୍ଛାଦିତ କରି ସୁଭଦ୍ରାଙ୍କର ଏକ ସୁନ୍ଦର ମୁଖା ଲଗାଯାଇଥାଏ ।
ଏହି ସ୍ଥାନର ଇତିହାସ ଅତ୍ୟନ୍ତ ପ୍ରାଚୀନ ଓ କୌତୂହଳପୂର୍ଣ୍ଣ । ପୂର୍ବରୁ ଏଠାରେ ‘ହାତୀ ଗାଧୁଆ’ ନାମକ ଏକ ନଦୀ ବହିଯାଉଥିଲା, ଯାହାକୁ ସ୍ଥାନୀୟ ଲୋକେ ‘ବଳବତ୍ତର ଗଣ୍ଡି’ କହୁଥିଲେ ଏବଂ କାଳକ୍ରମେ ଏହା ‘ବଳଗଣ୍ଡି’ ଭାବେ ପରିଚିତ ହେଲା । ପୁରାତନ କାଳରେ ମହାପ୍ରଭୁଙ୍କ ରଥ ଆସି ଏହି ନଦୀ ନିକଟରେ ଅଟକି କିଛି ସମୟ ବିଶ୍ରାମ ନେଉଥିଲା । ତା’ପରେ ଶ୍ରୀଜିଉମାନେ ନଈ ପାର ହୋଇ ଆରପଟେ ଥିବା ଅନ୍ୟ ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ ।
ସେହି କାଳରୁ ବାହୁଡ଼ା ଯାତ୍ରା ସମୟରେ ମାଉସୀ ମା’ ନିଜ ହାତରୁ ମହାପ୍ରଭୁଙ୍କୁ ପୋଡ଼ପିଠା ଖାଇବାକୁ ଦେବାର ଦିବ୍ୟ ପରମ୍ପରା ଚାଲିଆସିଛି । ଆଜି ମଧ୍ୟ ଏହି ମହାନ ସାଂସ୍କୃତିକ ନୀତି କାନ୍ତି ଅତ୍ୟନ୍ତ ଆନନ୍ଦ ଓ ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି, ଯାହାକୁ ଦେଖି ବଡ଼ଦାଣ୍ଡରେ ଉପସ୍ଥିତ ଲକ୍ଷ ଲକ୍ଷ ଭକ୍ତ ଭାବବିହ୍ୱଳ ହୋଇପଡ଼ିଛନ୍ତି ।
