ଯୋଗୀ ସରକାରଙ୍କୁ ଧରମ ସିଂଙ୍କ ଚେତାବନୀ, ୨୦ ତାରିଖ ଯାଏଁ ପ୍ରତ୍ୟେକ ଦିନ ଜଣେ ମନ୍ତ୍ରୀ ଓ ୩ରୁ ୪ ଜଣ ବିଧାୟକ ଦେବେ ଇସ୍ତଫା

ଯୋଗୀ ସରକାରଙ୍କ ଉପରେ ଯେପରି ଗୋଟିଏ ପରେ ଗୋଟିଏ ଚଡକ ପଡିବାରେ ଲାଗୁଛି | ବିଧାନସଭା ନିର୍ବାଚନ ପାଇଁ ଏବେ ଚଳଚଞ୍ଚଳ ଉତ୍ତରପ୍ରଦେଶ ରାଜନୀତି ଥିବା ବେଳେ, ଯୋଗୀ ସରକାରଙ୍କ ହାତ ଛାଡ଼ୁଛନ୍ତି ଜଣଙ୍କ ପରେ ଜଣେ ନେତା | ଯୋଗୀ ସରକାରରେ ମନ୍ତ୍ରୀ ଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ମନ୍ତ୍ରୀପଦ ସହ ବିଜେପିରୁ ଇସ୍ତଫା ଦେବା ପରେ ଦଳକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି ।

ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ପରେ ଏବେ ସୁଦ୍ଧା ୩ ଜଣ ମନ୍ତ୍ରୀ ଓ ୭ ଜଣ ବିଧାୟକ ପଦ୍ମ ଦଳକୁ ପର କରିସାରିଲେଣି । ତେବେ ଏହା କେବଳ ଆରମ୍ଭ ମାତ୍ର । କାରଣ ଯୋଗୀ ସରକାରର ହାତ ଛାଡିଥିବା ଧରମ ସିଂ ସୈନୀ କହିଛନ୍ତି ଯେ, ଆସନ୍ତା ୨୦ ଜାନୁଆରୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଦଳରୁ ଜଣେ ମନ୍ତ୍ରୀ ଓ ୩ରୁ ୪ ଜଣ ବିଧାୟକ ଇସ୍ତଫା ଦେବେ । ଆଉ ସମସ୍ତେ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ରାସ୍ତାରେ ଚାଲିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ସୈନୀ ମନ୍ତ୍ରୀପଦରୁ ଇସ୍ତଫା ଦେବା ସହ କହିଛନ୍ତି, ଯୋଗୀ ସରକାରରେ ୫ ବର୍ଷ ହେବ ଦଳିତ ତଥା ପଛୁଆବର୍ଗଙ୍କ ସ୍ୱରକୁ ଚାପି ରଖାଯାଇଛି । ଆମେ ସେୟା କରିବୁ, ଯାହା ସ୍ୱାମୀ ପ୍ରସାଦ ମୌର୍ଯ୍ୟ କହିବେ । ଆଗକୁ ଅଥାର୍ତ ଜାନୁଆରୀ ୨୦ ମଧ୍ୟରେ ପ୍ରତ୍ୟେକ ଦିନ ଜଣେ ମନ୍ତ୍ରୀ ଓ ୩ରୁ ୪ ଜଣ ବିଧାୟକ ବିଜେପି ଛାଡିବେ । ମିଳିଥିବା ସୂଚନା ମୁତାବକ ବିଜେପି ଛାଡୁଥିବା ଅଧିକାଂଶ ନେତା ସମାଜବାଦୀ ପାର୍ଟିରେ ସାମିଲ ହେବେ ।

Related Posts