ରାଣା ଦମ୍ପତିଙ୍କ ବିରୋଧରେ ରାଜଦ୍ରୋହ ଧାରା

ମହାରାଷ୍ଟ୍ର; ଅମରାବତୀରୁ ସ୍ୱାଧୀନ ସାଂସଦ ନବନୀତ ରାଣା ଓ ତାଙ୍କର ବିଧାୟକ ସ୍ୱାମୀ ରବି ରାଣାଙ୍କ ବିରୋଧରେ ରାଜଦ୍ରୋହ ଧାରା ଲାଗୁ ହୋଇଛି | ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ମାତୋଶ୍ରୀ ସାମ୍ନାରେ ହନୁମାନ ଚାଲିସା ପାଠ କରିବାକୁ ଘୋଷଣା କରିବା ଘଟଣାକୁ ନେଇ ଗିରଫ ହୋଇଛନ୍ତି ଦୁହେଁ | ଉଭୟଙ୍କୁ ମହାରାଷ୍ଟ୍ର ପୋଲିସ ଜେଲ ପଠାଇ ଦେଇଛି । ନବନୀତ ରାଣାଙ୍କୁ ମୁମ୍ବାଇ ପୋଲି ବାୟକୁଲା ଜେଲ ପଠାଇଛି । ଅନ୍ୟପଟରେ ତାଙ୍କର ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କୁ ପୋଲିସ ତଲୋଜା ଜେଲକୁ ନେଇଛି । ରବି ରାଣାଙ୍କୁ ପୋଲିସ ପୂର୍ବରୁ ଆର୍ଥରରୋଡ ଜେଲ ନେଇଥିଲା । ସେଠାରୁ ପରେ ପୁଣି ତଲୋଜା ଜେଲ ନେଇଥିଲା ।

ରାଣା ଦମ୍ପତିଙ୍କୁ ଶନିବାର ସନ୍ଧ୍ୟାରେ ପୋଲିସ ଅଟକ ରଖିଥିଲା । ଏହା ପରେ ତାଙ୍କୁ ଗିରଫ କରିଥିଲା । ଏହା ପରେ ଉଭୟଙ୍କୁ ବାନ୍ଦ୍ରା କୋର୍ଟରେ ହାଜର କରିଥିଲା, ଯେଉଁଠାରୁ କି ୧୪ ଦିନ ଅର୍ଥାତ ଆସନ୍ତା ମେ’ ୬ ତାରିଖ ପର୍ଯ୍ୟନ୍ତ ଜେଲକୁ ପଠାଇଦେଇଛି । ଏବେ ସେମାନଙ୍କ ବେଲ ଉପରେ ଆସନ୍ତା ୨୯ ତାରିଖରେ ଶୁଣାଣି ହେବ । ସୂଚନାଯୋଗ୍ୟ, ରାଣା ଦମ୍ପତିଙ୍କୁ ଶନିବାର ଥାନାରେ ବିତାଇବାକୁ ପଡ଼ିଥିଲା ।

ସୂଚନାଯୋଗ୍ୟ, ରାଣା ଦମ୍ପତି ଶନିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ମାତୋଶ୍ରୀ ସାମ୍ନାରେ ହନୁମାନ ଚାଲିସା ପାଠ କରିବାକୁ ଘୋଷଣା କରିଥିଲେ । ମାତ୍ର ସକାଳୁ ସକାଳୁ ରାଣା ଦମ୍ପତିଙ୍କ ଘର ବାହାରେ ଶିବସୈନିକ ପହଞ୍ଚି ଯାଇଥିଲେ ଓ ହଙ୍ଗାମା କରିଥିଲେ । ଫଳରେ ରାଣା ଦମ୍ପତି ବାହାରକୁ ବାହାରି ପାରି ନ ଥିଲେ । ଏହା ପରେ ଖଶର ଥାନା ପୋଲିସ ରାଣା ଦମ୍ପତିଙ୍କୁ ଅଟକ ରଖିଥିଲା । ପୋଲିସ ରାଣା ଦମ୍ପତିଙ୍କ ବିରୋଧରେ ରାଜଦ୍ରୋହ ଧାରା ମଧ୍ୟ ଲଗାଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ।

Related Posts