ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଦିନକୁ ଦିନ ଭୟଙ୍କର ରୂପ ନେଉଛି ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ। ଇରାନ ଉପରେ ଆମେରିକା ଘନ ଘନ ଆକ୍ରମଣ କରୁଥିବାବେଳେ ତେହେରାନ ବି ଚୁପ ବସି ନାହିଁ। ଗୋଟିଏ ପଟେ ଆମେରିକା ଲଗାତାର ୧୨ ଦିନ ଧରି ମଧ୍ୟରାତ୍ରରେ ଇରାନ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ, ଅନ୍ୟପଟେ ଲୋହିତ ସାଗରରେ ଇରାନ ସମର୍ଥିତ ୟେମେନର ହୁତି ବିଦ୍ରୋହୀମାନେ ନାକାବନ୍ଦୀ ଆରମ୍ଭ କରିଦେଇଛନ୍ତି । ୟୁଏସ୍ ସେଣ୍ଟ୍ରାଲ କମାଣ୍ଡ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଆମେରିକୀୟ ସେନା ଲଗାତାର ୧୨ ରାତି ପାଇଁ ଇରାନର ସାମରିକ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରିଛି । ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ଦେଶର ଦକ୍ଷିଣ-ପଶ୍ଚିମରେ ଥିବା ରାମସିର, ଅହୱାଜ ଏବଂ ଉପକୂଳବର୍ତ୍ତୀ ବୁସେହର ପ୍ରଦେଶରେ ଆମେରିକା ମିସାଇଲ ମାଡ଼ କରିଛି । ହୋର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ବ୍ୟାପାରିକ ଜାହାଜଗୁଡ଼ିକ ଉପରେ ହେଉଥିବା ବିପଦକୁ ଏଡ଼ାଇବା ଏବଂ ଇରାନର ସାମରିକ ଶକ୍ତିକୁ ଦୁର୍ବଳ କରିବା ଏହି ଆକ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆମେରିକା ସ୍ପଷ୍ଟ କରିଛି । ବ୍ରିଟିଶ ନୌସେନା ସୁରକ୍ଷା ମନିଟର (ୟୁକେଏମଟିଓ) ର ସୂଚନା ଅନୁସାରେ, ଲୋହିତ ସାଗରରେ ସାଉଦି ଆରବ ଉପକୂଳ ନିକଟରେ ହୁତି ବିଦ୍ରୋହୀମାନେ ୨ଟି ତୈଳ ଟ୍ୟାଙ୍କର ଉପରେ ଡ୍ରୋନ ଓ ମିସାଇଲ ମାଡ଼ କରିଛନ୍ତି । ଅଲ-ଶୁକେକଠାରୁ ୭୦ ନୌଟିକାଲ ମାଇଲ ଦୂରରେ ଏକ ଟ୍ୟାଙ୍କର ଆକ୍ରମଣର ଶିକାର ହୋଇଛି, ଯାହା ଫଳରେ ଜାହାଜରେ ନିଆଁ ଲାଗିଯାଇଛି । ନାବିକମାନେ ନିଆଁ ଲିଭାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ହୁତି ବିଦ୍ରୋହୀମାନେ ଚେତାବନୀ ଦେଇଛନ୍ତି ଯେ, ଯଦି କୌଣସି ଶିପିଂ କମ୍ପାନୀ ସାଉଦି ଆରବର ବନ୍ଦରଗୁଡ଼ିକୁ ବ୍ୟବହାର କରେ, ତେବେ ସେମାନଙ୍କ ଟ୍ୟାଙ୍କର ଉପରେ ମଧ୍ୟ ଆକ୍ରମଣ କରାଯିବ । ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ହୁତି ବିଦ୍ରୋହୀମାନେ ଯଦି ଏହି ଧମକକୁ କାର୍ଯ୍ୟକାରୀ କରନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
