ନୂଆଦିଲ୍ଲୀ:  ହର୍ମୁଜଡ ପ୍ରଣାଳୀରେ ବଢ଼ୁଛି ସଙ୍କଟ। ଆମେରିକା ଏଭଳି ଘନ ଘନ ଆକ୍ରମଣ ନେଇ ଇରାନ କଡ଼ା ଚେତାବନୀ ଦେଇଛି। ଇରାନର କଞ୍ଚା ତେଲ ବିକ୍ରି ହୋଇ ପାରୁ ନଥିବାବେଳେ ଅନ୍ୟ କାହାରିକୁ ବି ତେଲ ବିକିବାକୁ ଦେବୁନି ବୋଲି ଖୋଲା ଚେତାବନୀ ଦିଆଯାଇଛି। ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବେ ଆହୁରି ଭୟାନକ ମୋଡ଼ ନେଇଛି । ଇରାନ ଉପରେ ଆମେରିକାର ଲଗାତାର ଏୟାରଷ୍ଟ୍ରାଇକ୍ ମଧ୍ୟରେ ତେହେରାନ ପକ୍ଷରୁ ଏକ ବଡ଼ ଚେତାବନୀ ଦିଆଯାଇଛି । ଇରାନ ସଂସଦର ସ୍ପିକର ମହମ୍ମଦ ବାଘେର ଗାଲିବାଫ୍ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଯଦି ଇରାନ ନିଜର କଞ୍ଚା ତେଲ ବିକ୍ରି କରିପାରିବ ନାହିଁ, ତେବେ ଉପସାଗରୀୟ ଅଞ୍ଚଳର ଅନ୍ୟ କୌଣସି ଦେଶକୁ ମଧ୍ୟ ତୈଳ ବିକ୍ରି କରିବାକୁ ଦିଆଯିବ ନାହିଁ ।  ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଇରାନ ସ୍ପିକର ଗାଲିବାଫ୍ ଲେଖିଛନ୍ତି ଯେ, “ହୋର୍ମୁଜ ପ୍ରଣାଳୀରେ ସ୍ଥିତି ଆଉ ଯୁଦ୍ଧ ପୂର୍ବପରି ରହିବ ନାହିଁ । ଏବେ ପରିସ୍ଥିତି ‘ସମସ୍ତଙ୍କ ପାଇଁ ନଚେତ୍ କାହା ପାଇଁ ନୁହେଁ’ ନୀତିରେ ଚାଲିବ । ଯେଉଁ ଅଞ୍ଚଳରେ ଆମେ ତେଲ ବିକିପାରିବୁ ନାହିଁ, ସେଠାରେ ଅନ୍ୟ କେହି ବି ତେଲ ବିକିପାରିବେ ନାହିଁ ।”ଯଦି ଇରାନର ସୁରକ୍ଷା ସୁନିଶ୍ଚିତ ନହୁଏ, ତେବେ ଏହି ଅଞ୍ଚଳର କୌଣସି ବି ଭିତ୍ତିଭୂମି ସୁରକ୍ଷିତ ରହିବ ନାହିଁ । ଆମେରିକା ସେନାର ଅନୁପସ୍ଥିତିରେ ହିଁ ହୋର୍ମୁଜ ପ୍ରଣାଳୀ ସୁରକ୍ଷିତ ରହିପାରିବ ବୋଲି ସେ ଦାବି କରିଛନ୍ତି । ଅନ୍ୟପଟେ, ଆମେରିକାର ଲକ୍ଷ୍ୟ ହେଉଛି ହୋର୍ମୁଜ ପ୍ରଣାଳୀରେ ଜାହାଜଗୁଡ଼ିକ ଉପରେ ହେଉଥିବା ଆକ୍ରମଣକୁ ରୋକିବା ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ବ୍ୟାପାରକୁ ପୁନଃକାର୍ଯ୍ୟକ୍ଷମ କରିବା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇଛନ୍ତି ଯେ, ଯଦି ହୋର୍ମୁଜ ପ୍ରଣାଳୀରେ ବ୍ୟାପାରିକ ଜାହାଜ ଉପରେ ଆକ୍ରମଣ ଜାରି ରହେ, ତେବେ ଆମେରିକା ସେନା ତେହେରାନର ପୋଲ ଏବଂ ବିଦ୍ୟୁତ୍ ପ୍ଲାଣ୍ଟଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରିବ। ଇରାନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ସେମାନଙ୍କ ଦେଶ ନିଜ ରକ୍ଷା ପାଇଁ ‘ଆଖି ବଦଳରେ ଆଖି’ ନୀତି ଗ୍ରହଣ କରିବ । ଇରାନ କିମ୍ବା ଏହାର ଭିତ୍ତିଭୂମି ଉପରେ କୌଣସି ବି ଆକ୍ରମଣ ହେଲେ, ସେହପରି କଠୋର ଓ ନିର୍ଣ୍ଣାୟକ ପାଲଟା ଜବାବ ଦିଆଯିବ। ଆମେରିକା ଓ ଇରାନ ମଧ୍ୟରେ କୌଣସି କୂଟନୈତିକ ସମାଧାନ ବାହାରି ପାରୁନାହିଁ । ଏହି ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ କଞ୍ଚା ତେଲ ଦର ହୁ ହୁ ହୋଇ ବଢ଼ିବାର ଆଶଙ୍କା ଦେଖାଦେଇଛି ।