ମାଲକାନଗିରି(ସତ୍ୟପାଠ ବ୍ୟୁରୋ): ମଧ୍ୟାହ୍ନ ଭୋଜନରେ ପୋକ ସାଲୁ ବାଲୁ। ରନ୍ଧା ଖାଦ୍ୟରେ ପୋକ ଦେଖି ପିଲାମାନେ ନଖାଇ ଉଠିପଡ଼ିଲେ। ଥାଳିରେ ଭାତ ବଢ଼ା ହୋଇଥିବାବେଳେ ପୋକ ଭାସୁଥିବା ଦେଖିବାକୁ ମିଳିଥିଲା। ମଧ୍ୟାହ୍ନ ଭୋଜନରେ ବିଭ୍ରାଟ ନେଇ ଅନେକ ସମୟରେ ଖବର ଆସୁଥିବାବେଳେ ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍.ଭି.-୬୬ ସରକାରୀ ଉଚ୍ଚ ବିଦ୍ୟାଳୟରେ। ଶିକ୍ଷା ମନ୍ଦିରରେ ପିଲାଙ୍କୁ ପୌଷ୍ଟିକ ଖାଦ୍ୟ ଯୋଗାଇ ସୁସ୍ଥ ଓ ସୁରକ୍ଷିତ ଭବିଷ୍ୟତ ଗଢ଼ିବା ପାଇଁ ସରକାର ମଧ୍ୟାହ୍ନ ଭୋଜନ ଯୋଜନା ଆରମ୍ଭ କରିଥିବାବେଳେ ଏଭଳି ଅବ୍ୟବସ୍ଥା ନେଇ ଅଭିଭାବକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଉଦ୍ବେଗ ଦେଖାଯାଇଛି। ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟରେ ପରିବେଷଣ କରାଯାଇଥିବା ମଧ୍ୟାହ୍ନ ଭୋଜନରେ ପୋକ ଦେଖିବାକୁ ମିଳିଛି। ଯେଉଁ ଖାଦ୍ୟ ଶିଶୁମାନଙ୍କ ପୋଷଣ ଓ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଦିଆଯାଉଛି, ସେହି ଖାଦ୍ୟରେ ଏଭଳି ଅପରିଷ୍କାର ଅବସ୍ଥା ଦେଖିବାକୁ ମିଳିବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହା କେବଳ ଏକ ପ୍ରଶାସନିକ ତ୍ରୁଟି ନୁହେଁ, ବରଂ ଏକ ଗୁରୁତର ମାନବିକ ପ୍ରସଙ୍ଗ। ବିଦ୍ୟାଳୟକୁ ଶିକ୍ଷା ଗ୍ରହଣ ପାଇଁ ଆସୁଥିବା ନିରୀହ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସହ ଖେଳିବାର ଅଧିକାର କାହାରି ନାହିଁ। ଯଦି ଏହି ଖାଦ୍ୟ ଖାଇ କୌଣସି ଶିଶୁ ଅସୁସ୍ଥ ହୋଇଥାନ୍ତା, ତେବେ ତାହାର ଦାୟିତ୍ୱ କିଏ ନେଇଥାନ୍ତା ବୋଲି ପ୍ରଶ୍ନ ଉଠିଛି
ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା କର୍ମଚାରୀ ଏବଂ ସମ୍ପୃକ୍ତ କ୍ଲଷ୍ଟରର ସିଆରସିସି (CRCC)ଙ୍କ ଭୂମିକା ଯାଞ୍ଚ କରାଯିବାକୁ ଦାବି ହୋଇଛି। ନିୟମିତ ତଦାରଖ ହେଉଥିଲେ ଏଭଳି ଘଟଣା କିପରି ଘଟିଲା, ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଛି ସଚେତନ ନାଗରିକମାନେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାପାଳ, ସ୍ଥାନୀୟ ଜନପ୍ରତିନିଧି ଏବଂ ଶିକ୍ଷା ବିଭାଗର ଉଚ୍ଚ ଅଧିକାରୀମାନଙ୍କୁ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ଶିଶୁମାନେ ଦେଶର ଭବିଷ୍ୟତ। ସେମାନଙ୍କ ସ୍ୱାସ୍ଥ୍ୟ, ପୋଷଣ ଓ ସୁରକ୍ଷା ସହ କୌଣସି ପ୍ରକାର ଅବହେଳା ଆଦୌ ଗ୍ରହଣୀୟ ନୁହେଁ। ତେଣୁ ଏହି ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରାଯାଇ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହ ଜିଲ୍ଲାର ସମସ୍ତ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାର ସ୍ୱତନ୍ତ୍ର ଯାଞ୍ଚ କରିବାକୁ ସାଧାରଣରେ ଦାବି ହେଉଛି।
