ପୁରୀ(ସତ୍ୟପାଠ ବ୍ୟୁରୋ): ନକଲି ଗୁମାସ୍ତା ସାଜି ଠାକୁରଙ୍କୁ ଦର୍ଶନ କରାଇବା ବାହାନାରେ ଶ୍ରଦ୍ଧାଳୁଙ୍କଠାରୁ ଜବରଦସ୍ତ ଟଙ୍କା ମାଗିବା, ଟଙ୍କା ନମିଳିବାରୁ ଗାଳିଗୁଲଜ କରିବା ଅଭିଯୋଗରେ ସିଂହଦ୍ୱାର ଥାନା ପୁଲିସ ୫ ନକଲି ଗୁମାସ୍ତାକୁ ଗିରଫ କରିଛି । ସେମାନେ ହେଲେ ନିମାପଡ଼ା ଥାନା ଅଧୀନ ଅରିଷଣ୍ଢ ଗ୍ରାମର ଶଙ୍କର ବିଶ୍ୱାଳ, ବାସେଳିସାହି ଥାନା ଅଧୀନ ମାର୍କଣ୍ଡେଶ୍ୱର ସାହି ରାଧାକାନ୍ତ ଲେନ୍ର ଅରୁଣ ପାତ୍ର, ଜଗନ୍ନାଥବସ୍ତିର ବାବୁଲି ମହାପାତ୍ର, ଚନ୍ଦନପୁର ଥାନା ଅଧୀନ ଶିରୁଳୀମହାବୀରର ସର୍ବେଶ୍ୱର ରାଉତ ଓ ଭଦ୍ରକର ରଞ୍ଜିତ୍ ସାମନ୍ତରାୟ । ଉତ୍ତରଦ୍ୱାର ପରିକ୍ରମା ମାର୍ଗରେ ୫ଜଣ ନିଜକୁ ଗୁମାସ୍ତା କହି ଶ୍ରଦ୍ଧାଳୁଙ୍କୁ ଠାକୁର ଦର୍ଶନ ଲାଗି ହଇରାଣ କରିଥିଲେ। ଏହି ସମୟରେ ସିଂହଦ୍ୱାର ଥାନା ପୁଲିସ ଚଢ଼ଉ କରି ୫ଜଣଙ୍କୁ କାବୁ କରିଥିଲା । ସେମାନଙ୍କୁ ଯାଞ୍ଚ କରିବା ପରେ ନକଲି ଗୁମାସ୍ତା ବୋଲି ଜଣାପଡ଼ିଥିଲା । ପୁଲିସ ନିଜ ଆଡୁ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି ।