କୋଭିଡ୍ ଯୋଗୁଁ ମଳିନ ପଡିଯାଇଥିବା ଭାବମୂର୍ତ୍ତିକୁ ସୁଧାରିବାକୁ ବିଜେପିରେ ନୂଆ ରଣନୀତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ପରିଚାଳନା, ଟୀକାକରଣ ଠାରୁ ଆରମ୍ଭ କରି ଗଙ୍ଗାରେ ଶବ ଭାସିବା ଏବଂ ଅମ୍ଳଜାନ ସଙ୍କଟ ଭାରତୀୟ ଜନତା ପାର୍ଟିର ଭାବମୂର୍ତ୍ତିକୁ ପ୍ରଭାବିତ କରିଛି। ବିଶେଷ କରି ଦ୍ବିତୀୟ ଲହରରେ ବିରୋଧୀଙ୍କ ଅଭିଯୋଗ ଏବଂ ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟ ମୋଦୀ ସରକାରଙ୍କୁ କଡା ଭର୍ତ୍ସନା କରିଥିଲେ। ଫଳରେ ବିଜେପି ବ୍ୟାକଫୁଟ୍ ରେ ରହିଛି। ଏଥିପାଇଁ ଭାରତୀୟ ଜନତା ପାର୍ଟି ଭାବମୂର୍ତ୍ତି ସଜାଡିବାକୁ ନୂଆ ରଣନୀତି ଆପଣେଇଛି । ଗତ ମାସରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା ‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏବେ ଏହି କାର୍ଯ୍ୟକ୍ରମ ଦ୍ବିତୀୟ ପର୍ଯ୍ୟାୟ ସାରା ଦେଶରେ ଆରମ୍ଭ କରିବାକୁ ବିଜେପି ଯୋଜନା କରିଛି । ଏଥିପାଇଁ ଦଳର କାର୍ଯ୍ୟକର୍ତ୍ତାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଟିକାକରଣ ଅଭିଯାନ, ରିଲିଫ୍ କାର୍ଯ୍ୟକ୍ରମ ଓ ଗ୍ରାମ୍ୟ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବୀଙ୍କର ତାଲିମକୁ ଅନ୍ତର୍ଭୁକ୍ତ କରାଯାଇଛି। ଟିକାକରଣ ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ଅଧୀନରେ ୧୮ ରୁ ୪୫ ବର୍ଷ ସମସ୍ତ ଲୋକଙ୍କୁ ଟିକାର ଉଭୟ ଡୋଜ୍‌ ନେବାକୁ ପରାମର୍ଶ ଦିଆଯିବ। ଏହି ବର୍ଗରେ ଡେଲିଭରି ବୟ, ଅଟୋ, ରିକ୍ସା ଚାଳକ, ଘରୋଇ ସହାୟକ, ଖବରକାଗଜ ବିତରକ, ଗ୍ୟାସ ସିଲିଣ୍ଡର ବିତରକଙ୍କୁ ରଖାଯାଇଛି। ଏମାନଙ୍କୁ ଟିକାକରଣ କେନ୍ଦ୍ରକୁ ଯିବା ପାଇଁ ପ୍ରୋତ୍ସାହିତ କରିବାକୁ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଜେପି କର୍ମୀ ଲୋକମାନଙ୍କୁ କରୋନା କଟକଣା ମାନିବାକୁ ବୁଝାଇବା ସାଙ୍ଗକୁ ଲୋକମାନଙ୍କୁ ବିଜେପି ପକ୍ଷରୁ ସାନିଟାଇଜର ଓ ମାସ୍କ ଇତ୍ୟାଦି ବଣ୍ଟନ କରାଯିବ। ଏହା ବ୍ୟତୀତ ରକ୍ତଦାନ ଶିବିର ଆୟୋଜନ କରିବାକୁ ମଧ୍ୟ କୁହାଯାଇଛି। ହସ୍ପିଟାଲ ଏବଂ ଆବଶ୍ୟକ ସ୍ଥଳେ ରାସନ କିଟ୍ ଓ ଖାଦ୍ୟ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟେଲି-ମେଡିସିନ୍ ସେଣ୍ଟର ଓ ମେଡିକାଲ୍ ହେଲ୍ପ ସେଣ୍ଟର ପ୍ରତିଷ୍ଠା ପାଇଁ ମଧ୍ୟ କୁହାଯାଇଛି। ସ୍ଥାନୀୟ ପାର୍ଟି ଅଫିସରେ ଥର୍ମାଲ୍ ସ୍କାନର୍, ଅକ୍ସିମିଟର, ଟେଷ୍ଟ କିଟ୍, ଅମ୍ଳଜାନ କନସେନଟ୍ରେଟର ଇତ୍ୟାଦି ସାମଗ୍ରୀର ବ୍ୟବସ୍ଥା କରିବାକୁ ଦଳର ନେତା ଏବଂ କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୋଦୀ ସରକାରଙ୍କ କୋଭିଡ୍ ପରିଚାଳନାକୁ ନେଇ ଦେଶ ଠାରୁ ବିଦେଶ ସବୁଠାରେ କଡା ସମାଲୋଚନା କରାଯାଇଛି। ଏହା ମଧ୍ୟରେ ମଧ୍ୟରେ ବିଜେପି ଏବଂ ଆରଏସଏସ ଭାବମୂର୍ତ୍ତି ସୁଧାରିବାକୁ ଏଭଳି ଯୋଜନା କରୁଛନ୍ତି।

Related Posts