‘ଭାରତ ଯୋଡ଼ୋ ଯାତ୍ରା’ରେ ଓଡ଼ିଶା କଂଗ୍ରେସ ପକ୍ଷରୁ ୧୦୦ ଜଣ ପ୍ରତିନିଧି ଯୋଗଦେବେ : ଶରତ ପଟ୍ଟନାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ଡାକରାରେ ଆସନ୍ତା ୭ ତାରିଖରେ କଂଗ୍ରେସ ପକ୍ଷରୁ ‘ଭାରତ ଯୋଡ଼ୋ ଯାତ୍ରା’ ଆରମ୍ଭ ହେବ। କନ୍ୟାକୁମାରୀରୁ ରାହୁଲ ଗାନ୍ଧୀ ଏହି ଅଭିଯାନ ଆରମ୍ଭ କରିବେ। ପିସିସି ସଭାପତି ଶରତ ପଟ୍ଟନାୟକ ଏହି ଯାତ୍ରା ସଂପର୍କରେ କହିଛନ୍ତି ଯେ, ଓଡ଼ିଶାରେ ମଧ୍ୟ ଏହି ପଦଯାତ୍ରା ହେବ। ଓଡ଼ିଶା କଂଗ୍ରେସରୁ ୧୦୦ ଜଣ ପ୍ରତିନିଧି ଏହି ଯାତ୍ରାରେ ଯିବେ। ସେମାନେ ଓଡ଼ିଶାରୁ ପାଣି ଓ ମାଟି ନେଇ ‘ଭାରତ ଯୋଡ଼ୋ’ ଅଭିଯାନରେ ସାମିଲ ହେବେ ବୋଲି ଶରତ କହିଛନ୍ତି।

‘ଭାରତ ଯୋଡ଼ୋ ଯାତ୍ରା’ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ଏଆଇସିସି ମୁଖପାତ୍ର ଅଂଶୁଲ ଅଭିଜିତ। ସେ କହିଛନ୍ତି ଯେ, ଏହା ଏକ ବଡ଼ ଜନସଂପର୍କ ପଦଯାତ୍ରା। ଏହି ଯାତ୍ରା ୧୨ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଦେଇ ଅତକ୍ରମ କରିବ। ଏହି ଯାତ୍ରା ସମୟରେ ୧୫୦ ଦିନ ମଧ୍ୟରେ ପ୍ରାୟ ୩୫୦୦ କିଲୋମିଟରରୁ ଅଧିକ ରାସ୍ତା ଅତିକ୍ରମ କରାଯିବ। ଏହି ପଦଯାତ୍ରାରେ ୩୦% ମହିଳା ସାମିଲ ହେବେ। bharatjodojatra.in ୱେବସାଇଟରେ ଏହି ଯାତ୍ରାର ସିଧା ପ୍ରସାରଣ ହେବ। ବିଜେପି ଶାସନରେ ଦେଶରେ ଅର୍ଥନୀତି ବ୍ୟବସ୍ଥା ଭୁଶୁଡ଼ି ଯାଇଛି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟାକୁ ନେଇ କଂଗ୍ରେସ ଏହି ଯାତ୍ରା ମାଧ୍ୟମରେ ଲୋକଙ୍କ ପାଖକୁ ଯିବ। ଲୋକଙ୍କୁ ସଚେତନ କରେଇବ ଏହାସହ ଲୋକଙ୍କ ସମସ୍ୟା ମଧ୍ୟ ଶୁଣିବ ବୋଲି ସେ କହିଛନ୍ତି।

Related Posts