ସିବିଆଇ ଅଧିକାରୀଙ୍କ ଉପରେ କେନ୍ଦ୍ରର ଅତ୍ୟଧିକ ଚାପ ଯୋଗୁ ସେମାନେ ଆତ୍ମହତ୍ୟା କରୁଛନ୍ତି : ମନୀଷ ସିସୋଦିଆ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଉପରେ ଚାପ ପକାଇବା ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ମନୀଷ ସିସୋଦିଆ। ସିବିଆଇ ଅଧିକାରୀଙ୍କ ଉପରେ ଅତ୍ୟଧିକ ଚାପ ପକାଯାଉଛି ଫଳରେ ସେମାନେ ଆତ୍ମହତ୍ୟା କରିବାରୁ ବାଧ୍ୟ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ବିରୋଧରେ କିଛି ଏହିଭଳି ସାଂଘାତିକ୍ ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଗୁରୁତର ଅଭିଯୋଗ ଆଣିବା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତିନୋଟି ପ୍ରଶ୍ନ କରିଛନ୍ତି ସିସୋଦିଆ।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପ୍ରେସମିଟ୍ କରି କହିଛନ୍ତି, ଗତ ଦୁଇଦିନ ତଳେ ଜଣେ ସିବିଆଇ ଅଧିକାରୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା । ଆଉ ଏବେ ଜଣାପଡିଛି ତାଙ୍କ ଉପରେ ଅତ୍ୟଧିକ ଚାପ ପଡିବାରୁ ସେ ଆତ୍ମହତ୍ୟା କରିଛନ୍ତି । କେନ୍ଦ୍ର ସରକାର ମୋ ବିରୋଧରେ ଯେଉଁ ମିଛ ମାମଲା କରିଛନ୍ତି ତାକୁ ଆଇନ ସଂଗତ କରିବା ପାଇଁ, ମୋତେ ଗିରଫ କରିବା ପାଇଁ ସେହି ସିବିଆଇ ଅଧିକାରୀଙ୍କ ଉପରେ ଚାପ ପକାଯାଉଥିଲା । ଯେଉଁଥିପାଇଁ ସେ ମାନସିକ ଚାପରେ ଆସି ଆତ୍ମହତ୍ୟା କରିଛନ୍ତି । ଏହା ଅତ୍ୟନ୍ତ ଦୁଃଖଦ ଘଟଣା । ପ୍ରଧାନମନ୍ତ୍ରୀଙ୍କୁ ମୋର ଏତିକି ନିବେଦନ, ମୋ ଉପରେ କାର୍ଯ୍ୟାନୁଷ୍ଠାନ ନେବାର ଅଛି ଯଦି ନିଅନ୍ତୁ। ମତେ ଯଦି ଗିରଫ କରିବାକୁ ଚାହୁଁଛନ୍ତି ତାହେଲେ କୁହନ୍ତୁ ଆପଣ ଯେଉଁଠାକୁ କହିବେ, ମୁଁ ଆସିଯିବି ମତେ ଗିରଫ କରିନେବେ। କିନ୍ତୁ ସିବିଆଇ ଅଫିସରଙ୍କ ଉପରେ ଏଭଳି ଚାପ ପକାନ୍ତୁ ନାହିଁ ।

ପ୍ରେସମିଟ୍ ଜରିଆରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତିନୋଟି ପ୍ରଶ୍ନ କରିଛନ୍ତି ମନୀଷ ସିସୋଦିଆ । ଅଧିକାରୀଙ୍କ ଉପରେ କାହିଁକି ଏତେ ଚାପ ପକାଯାଉଛି, ଯେଉଁଥି ପାଇଁ ସେମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ? ରାଜନୈତିକ ବିରୋଧୀଙ୍କୁ ହଟାଇବା ପାଇଁ ନିଜ ସରକାରର ଅଧିକାରୀଙ୍କୁ ଆଉ କେତେ ଅତ୍ୟାଚାର କରିବେ ? କଣ କେନ୍ଦ୍ର ସରକାରଙ୍କ ଗୋଟିଏ କାମ, ଅପରେସନ୍ ଲୋଟସ୍ ଚଲାଇବା ? କିଛି ଏଭଳି ପ୍ରଶ୍ନ କରି ପ୍ରଧାନମନ୍ତ୍ରୀଙ୍କ ଠାରୁ ଉତ୍ତର ଆଶା କରିଛନ୍ତି ମନୀଷ ସିସୋଦିଆ।

Related Posts