ପ୍ରଭାବିତ ହେବ ୧୦୦୦ ବିମାନର ଚଳାଚଳ

ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀ ନୂଆଦିଲ୍ଲୀ ଆୟୋଜନ ହୁଏ ଭବ୍ୟ ସମାରୋହ । ଏଥିରେ ଭାରତୀୟ ବାୟୁ ସେନା ପକ୍ଷରୁ ଚିତ୍ତାକର୍ଷକ ଏୟାର ସୋ’ର ପ୍ରଦର୍ଶନ ମଧ୍ୟ କରାଯାଏ । କିନ୍ତୁ ଏଥର ଗଣତନ୍ତ୍ର ଦିବସ ଅବସରରେ ହେବାକୁ ଥିବା ଏୟାର ସୋ’ କାରଣରୁ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧୦୦୦ ବିମାନର ଉଡ଼ାଣ ପ୍ରଭାବିତ ହୋଇପାରେ ।

କିଛି ବିମାନକୁ ବାତିଲ କରାଯାଉଥିବାବେଳେ ଅନ୍ୟ କିଛି ବିମାନକୁ ବିଳମ୍ବରେ ବା ଅନ୍ୟ ସମୟରେ ଉଡ଼ାଣ ପାଇଁ କୁହାଯିବ । ଜାନୁଆରୀ ୧୮ ରୁ ୨୬ ମଧ୍ୟରେ ପ୍ରତି ଦିନ ୧୦୦ ମିନିଟ୍‌ ଯାଏଁ ଏୟାର ଟ୍ରାଫିକ୍‌ ବନ୍ଦ କରାଯିବ । ଏହାଯୋଗୁଁ ମଧ୍ୟ ବିମାନ ଉଡ଼ାଣ ଓ ଅବତରଣରେ ବାଧା ହୋଇପାରେ । ବାୟୁସେନା ଓ ଅନ୍ୟ ସମ୍ବନ୍ଧିତ ସଂସ୍ଥା ତରଫରୁ ନୂଆଦିଲ୍ଲୀ ବିମାନବନ୍ଦରକୁ ଯୋଡୁଥିବା ବିମାନ କମ୍ପାନି ଗୁଡ଼ିକୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।

ବିମାନବନ୍ଦର ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ନୂଆଦିଲ୍ଲୀ ବିମାନ ବନ୍ଦରକୁ ଜାନୁଆରୀ ୧୮ ରୁ ୨୬ ମଧ୍ୟରେ ପ୍ରତିଦିନ ସକାଳ ୧୦ଟା ୩୫ ଠାରୁ ଅପରାହ୍ନ ୧୨ଟା ୩୫ ପର୍ଯ୍ୟନ୍ତ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅର୍ଥାତ୍‌ ଏହି ସମୟରେ ଆଇଜିଆଇ ବିମାନ ବନ୍ଦରରେ କୌଣସି ବିମାନ ଅବତରଣ ବା ଉଡ଼ାଣ କରିପାରିବେ ନାହିଁ । ଏହି ସମୟକୁ ବିମାନ ବନ୍ଦରର ବିଶ୍ରାମ ସମୟ ଭାବରେ ବ୍ୟବହାର କରାଯିବ । ସାଧାରଣତଃ ଏହି ସମୟ ମଧ୍ୟରେ ଏଠାରେ ୬୫ରୁ ୭୦ ବିମାନ ଅବତରଣ ଏବଂ ଉଡ଼ାଣ ଭରିଥାଏ ।

ନୂଆଦିଲ୍ଲୀ ବିମାନ ବନ୍ଦରର ଜଣେ ଅଧିକାରୀ କହିଛନ୍ତି, ଏହା ପ୍ରତିବର୍ଷ କରାଯାଏ । ଏଥିପାଇଁ ଏହି ସମୟରେ ଯେତେ ବିମାନ ଯାତ୍ରା କରେ ସେ ସମ୍ପର୍କରେ ଯାତ୍ରୀଙ୍କୁ ପୂର୍ବରୁ ସୂଚନା ଦିଆଯାଇଥାଏ ।

Related Posts