
13 ବର୍ଷ ବୟସରେ ଯେଉଁଠି ସାଧାରଣ ପିଲା ସ୍କୁଲରେ ପାଠ ପଢୁଥାଆନ୍ତି ଆଉ ନିଜର ହୋମ୍ୱାର୍କର ବୋଝ ଭିତରେ ବୁଡ଼ି ରହିଥାଆନ୍ତି, କିନ୍ଦୁତୁ ବାଇରେ ରହୁଥିବା ଜଣେ ଭାରତୀୟ କିଶୋର ମାତ୍ର 13 ବର୍ଷ ବୟସରେ ହିଁ ଏକ ସଫ୍ଟୱେୟାର ଡେଭଲପମେଣ୍ଟ କମ୍ପାନୀର ମାଲିକ ହୋଇଗଲେ । ଟେକ୍ନୋଲୋଜିର ଏହି କୁନି ଯାଦୁଗର ମାତ୍ର 9 ବର୍ଷ ବୟସରେ ହିଁ ପ୍ରଥମ ଆପ୍ ତିଆରି କରିଥିଲେ । ଏହି ଯାଦୁଗରର ନାମ ହେଲା ଆଦିତ୍ୟନ ରାଜେଶ ଏବଂ ତାଙ୍କ ମୂଳ ଘର କେରଳରେ । .
ଦୁବାଇର ଖଲିଜ୍ ଟାଇମ୍ସର ରିପୋର୍ଟ ଅନୁସାରେ ଆଦିତ୍ୟନ୍ ମାତ୍ର 5 ବର୍ଷ ବୟସରୁ ହିଁ କମ୍ପ୍ୟୁଟରର ବ୍ୟବହାର ଆରମ୍ଭ କରିଦେଇଥିଲେ ଏବଂ ପ୍ରଥମ ମୋବାଇଲ୍ ଆପ୍ ସେ ମାତ୍ର 9 ବର୍ଷ ବୟସରେ ହିଁ ତିଆରି କରିଥିଲେ । ଏବେ 13 ବର୍ଷ ବୟସ ହେବା ବେଳକୁ ସେ ନିଜର ସଫ୍ଟୱେୟାର ଡେଭଲପମେଣ୍ଟ କମ୍ପାନୀ ଆରମ୍ଭ କରିଛନ୍ତି । ଏହାର ନାମ ରହିଛି ‘ଟ୍ରିନେଟ୍ ସଲ୍ୟୁସନ୍’ । କମ୍ପାନୀରେ ଏବେ 3 ଜଣ କର୍ମଚାରୀ କାମ କରୁଛନ୍ତି, ଯେଉଁମାନେ ଆଦିତ୍ୟନଙ୍କର ସ୍କୁଲ ସାଙ୍ଗ ।
ଆଦିତ୍ୟନ ଆପ୍ ତିଆରି କରିବାର କାମ ସଉକ ଭାବେ ଆରମ୍ଭ କରିଥିଲେ । ସେ ନିଜ ଗ୍ରାହକଙ୍କ ପାଇଁ ଲୋଗୋ ଓ ୱେବ୍ସାଇଟ୍ ତିଆରି କରୁଛନ୍ତି । ରିପୋର୍ଟ ଅନୁସାରେ ଆଦିତ୍ୟନଙ୍କର ଜନ୍ମ କେରଳର ତିରୁବିଲାରେ ହୋଇଥିଲା । ଆଦିତ୍ୟନ କହିଛନ୍ତି ଯେ, ‘ମୁଁ ମାତ୍ର 5 ବର୍ଷ ବୟସର ହୋଇଥିବାବେଳେ ମୋ ପରିବାର ଦୁବାଇ ଆସିଥିଲେ । ପ୍ରଥମେ ମୋ ବାପା ମୋତେ ବିବିସି ଟାଇପିଂ ଶିଖାଇଲେ । ଏହା ଛୋଟ ପିଲାଙ୍କ ପାଇଁ ଏକ ୱେବ୍ସାଇଟ୍ ଯେଉଁଠି ଅଳ୍ପ ବୟସର ପିଲାମାନେ ଟାଇପିଂ ଶିଖିପାରିବେ । ’
ଆଦିତ୍ୟନ୍ କହିଲେ ଯେ ‘ମୋତେ ଏକ ପଞ୍ଜୀକୃତ କମ୍ପାନୀର ମାଲିକ ହେବା ପାଇଁ 18 ବର୍ଷ ବୟସ ହେବା ଯାଏଁ ଅପେକ୍ଷା କରିବାକୁ ପଡ଼ିବ । ଏବେ ସୁଦ୍ଧା ଆମେ 12ରୁ ଅଧିକ କ୍ଲାଏଣ୍ଟଙ୍କ ସହ କାମ କରିସାରିଲୁଣି । ’