ଆଫଗାନିସ୍ତାନରେ ଏବେ ବି ଫସି ରହିଛନ୍ତି ୨୦ଜଣ ଭାରତୀୟଙ୍କ ସମେତ ୧୪୦ ଆଫଗାନ୍‌ ଶିଖ୍‌ ଓ ହିନ୍ଦୁ: ରିପୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଫଗାନିସ୍ତାନରେ ସ୍ଥିତି ଦ୍ରୁତ ଗତିରେ ବିଗିଡିବାରେ ଲାଗିଛି। ଆଫଗାନିସ୍ତାନର ପରିସ୍ଥିତି ଜଟିଳ ହେଉଥିବା ବେଳେ ଏବେ ମଧ୍ୟ ସେଠାରେ ଅନ୍ୟୂନ ୨୦ଜଣ ଭାରତୀୟ ନାଗରିକ, ପ୍ରାୟ ୧୪୦ଜଣ ଆଫଗାନ୍‌ ଶିଖ୍ ଏବଂ ହିନ୍ଦୁ ସ୍ଥାନାନ୍ତରଣ ପାଇଁ ଅପେକ୍ଷାରେ ଥିବା କୁହାଯାଉଛି । ବିଭିନ୍ନ ସୂତ୍ରରୁ ଏ ସମ୍ପର୍କରେ ସୂଚନା ହସ୍ତଗତ ହେଉଛି।  ସୂତ୍ରରୁ ପ୍ରକାଶ ଯେ, ସ୍ଥାନାନ୍ତରଣ କରିବା ପାଇଁ ଭାରତ ସରକାରଙ୍କ ନିକଟରେ ଉଦ୍ୟମ କରୁଥିବା ଶେଷ ଭାରତୀୟ ନାଗରିକମାନଙ୍କ ମଧ୍ୟରେ ଉକ୍ତ ୨୦ଜଣ ଥିବା କଥା କୁହାଯାଉଛି। 

ତେବେ ବିଶେଷସୂତ୍ରରୁ ସୂଚନା ମିଳିଛି  ଯେ, ଏହି ୨୦ଜଣଙ୍କ ବ୍ୟତୀତ ଆହୁରି କେତେକ ଭାରତୀୟ ନାଗରିକ ମଧ୍ୟ ସ୍ଥାନାନ୍ତରଣ ପାଇଁ ଏଯାବତ୍ ଚେଷ୍ଟା କରି ନାହାନ୍ତି। ଏହାଛଡ଼ା, ଅନ୍ୟ କେତେକ ଭାରତୀୟ ନାଗରିକ ଭାରତ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁ ନଥିବା ଜଣାପଡିଛି। ଏହି ଅଗଷ୍ଟ ୧୫ ତାରିଖରୁ ଭାରତ ୮୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତରଣ କରି ସାରିଲାଣି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭାରତୀୟ ନାଗରିକ ଏବଂ ଆଫ୍‌ଗାନ୍‌ ଶିଖ୍‌ ଏବଂ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟ। ଗୁରୁବାର ଦିନ ବାୟୁସେନା ବିମାନ ଯୋଗେ ୧୮୦ ଜଣଙ୍କୁ କାବୁଲରୁ ଦିଲ୍ଲୀକୁ ଅଣାଯାଇଥିଲା।

ଏହାପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏକ ସର୍ବଦଳୀୟ ବୈଠକରେ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ସୂଚନା ଦେଇଥିଲେ ଯେ ଆଫଗାନିସ୍ତାନରୁ ଭାରତୀୟମାନଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ଉଦ୍ୟମ ଚାଲିଛି ଏବଂ ସରକାର ଯଥାସମ୍ଭବ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ଗୁରୁବାର ଦିନ କାବୁଲ ବିମାନବନ୍ଦର ନିକଟରେ ଡବଲ ବିସ୍ଫୋରଣରେ ଅତି କମରେ ୬୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪୦ ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି।

ସେଠାରେ ଆତଙ୍କବାଦୀମାନେ ଆକ୍ରମଣ କରିବେ ବୋଲି ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ୍‌ ଏବଂ ଅନ୍ୟ କେତେକ ଦେଶ ସତର୍କ ସୂଚନା ଜାରି କରିବାର କିଛି ସମୟ ପରେ ବିସ୍ଫୋରଣ ଘଟିଲା। ‘ଆଇଏସ୍‌’ ଏହି ବିସ୍ଫୋରଣ ଘଟାଇଛି ବୋଲି ଦାବି କରୁଛି। ଏପଟେ ଆମେରିକା ରାଷ୍ଟ୍ରପତିଙ୍କ ସମେତ ଜାତିସଂଘ ପକ୍ଷରୁ ଘଟଣାର ନିନ୍ଦା କରାଯାଇଛି। 

Related Posts