ରକ୍ତରଞ୍ଜିତ କାବୁଲ, ଆମେରିକା ରାଷ୍ଟ୍ରପତି କହିଲେ – ‘ଆକ୍ରମଣକାରୀଙ୍କୁ ଆମେ ଖୋଜି ଖୋଜି ଶାସ୍ତି ଦେବୁ’

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ହଜାର ହଜାର ଲୋକ କାବୁଲ ଏୟାରପୋର୍ଟ ନିକଟରେ ଏକତ୍ର ହୋଇଥିବା ବେଳେ ସେମାନଙ୍କୁ ଟାର୍ଗେଟ କରି ହୋଇଥିବା ବିସ୍ଫୋରଣ ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି। ଏହି ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ଆମେରିକୀୟ ସୈନିକଙ୍କ ସମେତ ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪୦ ରୁ ଅଧିକ ଆହାତ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ସେ କହିଛନ୍ତି ଯେ, ଘଟଣାକୁ ଆମେରିକା ଭୁଲିବ ନାହିଁ କି ସେମାନଙ୍କୁ କ୍ଷମା ଦେବନାହିଁ । ଏଥିସହ ଆକ୍ରମଣକାରୀଙ୍କ ବିପକ୍ଷରେ ପ୍ରତିଆକ୍ରମଣ କରିବା ଲାଗି ମଧ୍ୟ ସେ ‘ପେଣ୍ଟାଗନ୍‌’କୁ ନିର୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ବାଇଡେନ ଆହୁରି ମଧ୍ୟ କହିଛନ୍ତି- ‘ଆମେ ଆଫଗାନିସ୍ତାନରୁ ଆମେରିକୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବୁ। ଆମେ ଆମର ଆଫଗାନିସ୍ତାନ ସହଯୋଗୀମାନଙ୍କୁ ବାହାର କରିବୁ ଏବଂ ଆମର ମିଶନ ଆଗକୁ ମଧ୍ୟ ଜାରି ରହିବ । 

ସେ କହିଛନ୍ତି, “ଆମେ କେବେ ହେଲେ ଆତଙ୍କବାଦୀଙ୍କ ଧମକ ଓ କାର୍ଯ୍ୟକଳାପକୁ କ୍ଷମା କରିବୁ ନାହିଁ। ଆମେ କେବେ ହେଲେ ସେମାନଙ୍କୁ ଆମ ମିଶନକୁ ଅଟକାଇବାରେ ସଫଳ ହେବାକୁ ଦେବୁନି। ଆମେ ପୂର୍ବଭଳି ଉଦ୍ଧାର କାର୍ଯ୍ୟ ଜାରି ରଖିବୁ। ଅଗଷ୍ଟ ୩୧ରେ ସେନା ପ୍ରତ୍ୟାହାର କରିବାକୁ ଯୋଜନା ହୋଇଛି। କିନ୍ତୁ ଦରକାର ପଡ଼ିଲା ଏହାପରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିବ। ଯେଉଁମାନେ ଏଭଳି ଆତ୍ମଘାତୀ ଆକ୍ରମଣ କରିଛନ୍ତି ଓ ଯେଉଁମାନେ ଆମେରିକାକୁ କ୍ଷତି ପହଞ୍ଚାଇବାକୁ ଚାହୁଁଛନ୍ତି, ସେମାନଙ୍କୁ , ଆମେ କେବେ ହେଲେ କ୍ଷମା କରିବୁ ନାହିଁ। ଆମେ କେବେ ହେଲେ ଭୁଲିବୁ ନାହିଁ। ଆମେ ତୁମ ମାନଙ୍କୁ ଖୋଜିଖୋଜି ବାହାର କରିବୁ। ବିସ୍ଫୋରଣ ପାଇଁ ତୁମମାନଙ୍କୁ ପରିଣାମ ଭୋଗିବାକୁ ପଡ଼ିବ।” ବାଇଡେନ ବିସ୍ଫୋରଣରେ ପ୍ରାଣ ହରାଇଥିବା ଆମେରିକା କର୍ମଚାରୀ ଓ ଯବାନମାନଙ୍କୁ ହିରୋ ଭାବେ ସମ୍ବୋଧନ କରିଛନ୍ତି। ଏହାବାଦ ଆଗକୁ ମଧ୍ୟ କାବୁଲରେ ଆମେରିକା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିବ ବୋଲି ସେ ଘୋଷଣା କରିଛନ୍ତି। 

ସୂଚନା ଯୋଗ୍ୟ ଯେ, କାବୁଲ ବିମାନବନ୍ଦର ବାହାରେ ହୋଇଥିବା ବିସ୍ଫୋରଣରେ ୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୧୩ ଜଣ ଆମେରିକୀୟ ସୈନକ ରହିଛନ୍ତି । ଆହତଙ୍କୁ ଏମରଜେନ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ସଂଖ୍ୟା ବଢିବା ନେଇ ଅନୁମାନ କରାଯାଉଛି  । ତେବେ କେବଳ ଆମେରିକା ନୁହେଁ, ମିଳିତ ଜାତିସଂଘ ଠାରୁ ଆରମ୍ଭ କରି ଅନେକ ରାଷ୍ଟ୍ର ବିସ୍ଫୋରଣ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏଥିସହ ଦୋଷୀଙ୍କୁ ଦଣ୍ଡ ଦେବାକୁ ପଣ କରିଛନ୍ତି।

Related Posts