ଆଫଗାନିସ୍ତାନରେ ତାଲିବାନ୍ ଶାସନକୁ ପୁରିଲା ବର୍ଷେ; ବନ୍ଧୁକ ଧରି କାବୁଲରେ ଶୋଭାଯାତ୍ରା କଲେ ତାଲିବାନୀ ନେତା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଫଗାନିସ୍ତାନରେ ତାଲିବାନ ଶାସନକୁ ବର୍ଷେ ପୁରିଛି। ଏହି ଅବସରରେ ତାଲିବାନ ସରକାର ପକ୍ଷରୁ ଏକ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି। ଆଫଗାନିସ୍ତାନ ରାଜଧାନୀ କାବୁଲର ଭାରତୀୟ ଦୂତାବାସ ନିକଟସ୍ଥ ଗ୍ରୀନ ଜୋନ୍‌ର ରାଜ୍ୟ ମିଡିଆ ଅଡିଟୋରିୟମରେ ତାଲିବାନ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି। ଏଥିରେ ତାଲିବାନର ସମସ୍ତ ନେତାଙ୍କ ସହ ସାଧାରଣ ନାଗରିକ ଉପସ୍ଥିତ ରହିଥିଲେ।ହେଲେ ଉତ୍ସବରେ କୌଣସି ମହିଳା ଯୋଗ ଦେଇନଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ କେତେକ ତାଲିବାନ ନେତା କାବୁଲ ରେ ଏକ ଟ୍ରକରେ ବନ୍ଧୁକ ସହ ତାଲିବାନୀ ପତାକା ଧରି କାବୁଲ ରାଜରାସ୍ତାରେ ଶୋଭାଯାତ୍ରାରେ ବାହାରିଥିବା ଦେଖିବାକୁ ମିଳିଥଲା।

ସୂଚନାଯୋଗ୍ୟ ଯେ, ଆମେରିକା ଆଫଗାନିସ୍ତାନ ଛାଡ଼ିବା ପରେ ତାଲିବାନ ଆଫଗାନିସ୍ତାନକୁ ନିଜ କବଜାକୁ ନେଇଥିଲା। ପରେ ୨୦୨୧ ଅଗଷ୍ଟ ୧୫ରେ ତାଲିବାନ ଆଫଗାନିସ୍ତାନର ଶାସନ ଆରମ୍ଭ କରିଛି। ଏକ ବର୍ଷ ମଧ୍ୟରେ ତାଲିବାନ ଆଫଗାନିସ୍ତାନ ଉପରେ ଅନେକ କଠୋର ଆଇନ୍‌ ଲାଗୁ କରିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଯୁବତୀ ଏବଂ ମହିଳାଙ୍କ ପାଇଁ ଶିକ୍ଷା ତଥା ଚାକିରୀ ଉପରେ ତାଲିବାନ କଡ଼ା ପ୍ରତିବନ୍ଧକ ଲଗାଇଛି। ଏପରି କି ବାଳିକାମାନଙ୍କୁ ସ୍କୁଲ ଯିବାକୁ ମଧ୍ୟ ବାରଣ କରାଯାଇଛି।

Related Posts