ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜଧାନୀ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ଦିଲ୍ଲୀରେ ୨୦ ଲକ୍ଷ ଚାକିରି ଦିଆଯିବ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି। ଏହା ସହ ଦିଲ୍ଲୀକୁ ଫୁଡ୍ ହବରେ ପରିଣତ କରାଯିବ ବୋଲି ସେ କହିଛନ୍ତି।ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଆଜି ବେକାରୀ ସମସ୍ୟା ଦେଶର ଏକ ଗୁରୁତର ସମସ୍ୟା। ଗତ କିଛି ବର୍ଷ ମଧ୍ୟରେ ଆମ ସରକାର ୧୨ ରୁ ୧୩ ଲକ୍ଷ ଯୁବକଙ୍କୁ ନିଯୁକ୍ତି ଯୋଗାଇ ଦେଇଛନ୍ତି। ଏଥି ସହିତ, ଆମେ ନିଷ୍ପତ୍ତି ନେଇଛୁ ଯେ ଆସନ୍ତା ୫ ବର୍ଷରେ ଅତି କମରେ ୨୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଯୋଗାଇ ଦିଆଯିବା ଉଚିତ୍। ସେ କହିଛନ୍ତି ଯେ ଦିଲ୍ଲୀକୁ ଭାରତର ଖାଦ୍ୟ ରାଜଧାନୀ ଭାବେ ବିବେଚନା କରାଯାଏ। ଦିଲ୍ଲୀର ବିଭିନ୍ନ ପ୍ରକାରର ଖାଦ୍ୟ ଉପଲବ୍ଧ । ବର୍ତ୍ତମାନ ସରକାର ଏହାର ବିକାଶ କରିବାକୁ ଯୋଜନା କରୁଛନ୍ତି, ଯାହାଦ୍ୱାରା ପ୍ରତ୍ୟକ୍ଷ ଉଦ୍ଦେଶ୍ୟ ହେଉଛି ରୋଜଗାର ସୃଷ୍ଟି କରିବା ।
କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଆମେ ଫୁଡ୍ ହବ ପାଇଁ ପ୍ରଥମେ ଭିତ୍ତିଭୂମି ଠିକ୍ କରିବୁ ଏବଂ ତା’ପରେ ଖାଦ୍ୟ ନିରାପତ୍ତା ପାଇଁ ବ୍ୟବସ୍ଥା ମଧ୍ୟ କରିବୁ। ଏହା ସହିତ ଫୁଡ୍ ହବ ର ବ୍ରାଣ୍ଡିଂ କରାଯିବ ଯାହା ଦ୍ୱାରା ଲୋକମାନେ ଦେଶ ତଥା ବିଶ୍ୱରୁ ଏଠାକୁ ଆସିପାରିବେ। କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଆମେ ଆଶା କରୁଛୁ ଏହା ଅନେକ ରୋଜଗାର ସୃଷ୍ଟି କରିବ । ପ୍ରଥମ ପର୍ୟ୍ୟାୟରେ, ଆମେ ମଜନୁ କା ଟିଲା ଏବଂ ଚାନ୍ଦନୀ ଚକ୍ ଠାରେ ଦୁଇଟି ଫୁଡ୍ ହବ୍ ସୃଷ୍ଟି କରିବୁ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି।