ଆକାଶରେ 20 ହଜାର ରାଫେଲ୍‌ ବିମାନ !

ଭାରତୀୟ ବାୟୁ ସେନାରେ ଏ ଯାଏଁ ସାମିଲ୍‌ ହୋଇନାହିଁ ରାଫେଲ୍‌ ବିମାନ । କିନ୍ତୁ ମକର ସଂକ୍ରାନ୍ତିରେ ଜୟପୁରରେ 20 ହଜାର ରାଫେଲ୍‌ ଏକା ସାଙ୍ଗରେ ଉଡ଼ାଣ ଭରିବେ । ଏହାର ଲିଙ୍କ ବି ରାଜନୀତି ସହ ଅଛି ।

ବେଶ୍‌ କିଛି ଦିନ ହେଲା ଭାରତୀୟ ରାଜନୀତିରେ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି ରାଫେଲ୍‌ ଲଢୁଆ ବିମାନ କିଣା ପ୍ରସଙ୍ଗ । ଭାରତ ସରକାର ଆଣିବାକୁ ଥିବା ରାଫେଲ୍‌ ବିମାନ ଏ ଯାଏଁ ଭାରତୀୟ ବାୟୁ ସେନାରେ ସାମିଲ୍‌ ହୋଇନାହିଁ । କିନ୍ତୁ ରାଜସ୍ଥାନର ରାଜଧାନୀ ଜୟପୁରରେ 20 ହଜାର ରାଫେଲ୍‌ ବିମାନ ଏକା ସାଙ୍ଗରେ ଉଡ଼ାଣ ଭରିବେ । ଗୋଲାପୀ ନଗରୀରେ ବହୁ ପ୍ରଶ୍ନ ସହ ଉଡ଼ାଣ ଭରିବେ ରାଫେଲ୍‌ ।

କଥା ହେଲା ରାଜସ୍ଥାନରେ କଂଗ୍ରେସ ଏଥର ମକର ସଂକ୍ରାନ୍ତିରେ ଗୁଡ଼ି ମାଧ୍ୟମରେ ରାଫେଲ୍‌ ପ୍ରସଙ୍ଗ ସରଗରମ କରିବାକୁ ଚାହୁଁଛି । ଏଥିପାଇଁ କଂଗ୍ରେସ ନେତାମାନେ 20 ହଜାର ଗୁଡ଼ି ଉପରେ ରାଫେଲ୍‌ ଓ ରାଫେଲ୍‌ ସହ ସମ୍ପର୍କିତ 7ଟି ପ୍ରଶ୍ନ ଛପାଇଛନ୍ତି ।
ଏହି ରାଫେଲ୍‌ ଗୁଡ଼ି ସବୁକୁ ଲୋକଙ୍କ ଭିତରେ ବଣ୍ଟାଯିବ । ଗୁଡ଼ି ଉପରେ ରାଫେଲର ଚିତ୍ର ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରଶ୍ନ ବାଣ ଦ୍ବାରା ଆକ୍ରମଣ କରାଯିବ ।

ଏହି ଗୁଡ଼ି ସବୁକୁ କେବଳ ଜୟପୁର ନୁହେଁ ସାରା ରାଜସ୍ଥାନର ବିଭିନ୍ନ ଜିଲ୍ଲାରେ ବଣ୍ଟାଯିବାକୁ କଂଗ୍ରେସ୍ ଯୋଜନା କରିଛି । ମକରସଂକ୍ରାନ୍ତି ଅବସରରେ କଂଗ୍ରେସ ତ ରାଜନୀତିର ରାଫେଲ୍‌ ଉଡ଼ାଇବାକୁ ପ୍ରସ୍ତୁତି କରୁଛି । କିନ୍ତୁ ଦେଖିବାର କଥା କଂଗ୍ରେସର ଏହି ରାଫେଲ୍‌ ଗୁଡ଼ି ଉଡ଼ା ଦଳକୁ କେତେ ଉଚ୍ଚ ଯାଏଁ ନେବ ।

Related Posts