୨୨,୮୪୨ କୋଟି ଋଣ ଠକେଇ ମାମଲା; ଏବିଜି ସିପୟାର୍ଡ କମ୍ପାନିର ସଂପତ୍ତି ଜବତ କଲା ଇଡି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏବିଜି ସିପୟାର୍ଡ କମ୍ପାନିର ଅଧ୍ୟକ୍ଷ ଋଷି ଅଗ୍ରଓ୍ବାଲଙ୍କୁ ଗତକାଲି ସିବିଆଇ ଗିରଫ କରିଛି। ଏହାର ଦିନକ ପରେ ଇଡି ଏହି କମ୍ପାନିର ପ୍ରାୟ ୨୭୪୭ କୋଟି ଟଙ୍କାର ସଂପତ୍ତି ଜବତ କରିଛି । ଏସବୁ ସଂପତ୍ତି ମଧ୍ୟରେ ରହିଛି ସୁରତ ଓ ଦହେଜଠାରେ ଥିବା କମ୍ପାନିର ସିପୟାର୍ଡ ( ଜାହାଜ ତିଆରି ଓ ମରାମତି କେନ୍ଦ୍ର), ଏହି କମ୍ପାନିର କେତେକ ଶାଖା କମ୍ପାନିର ସଂପତ୍ତି, କୃଷି ଜମି ଓ ବ୍ୟବସାୟିକ ପ୍ଲଟ୍, ଗୁଜୁରାଟ ଓ ମହାରାଷ୍ଟ୍ରରେ ଥିବା କମ୍ପାନିର ବ୍ୟବସାୟିକ ଓ ଆବାସିକ କୋଠା, ବ୍ୟାଙ୍କ ଖାତା ଇତ୍ୟାଦି ।ବେଆଇନ ଅର୍ଥ କାରବାର ନିରୋଧ ଆଇନ ୨୦୦୨ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।

ଏହି କମ୍ପାନି ବିଭିନ୍ନ ଜାଲ କାରବାର ମାଧ୍ୟମରେ ୨୦୧୨ ରୁ ୨୦୧୭ ମସିହା ମଧ୍ୟରେ ଷ୍ଟେଟବ୍ୟାଙ୍କ ନେତୃତ୍ବରେ ଥିବା ଏକ ବ୍ୟାଙ୍କ କନସୋର୍ଟିଅମକୁ ୨୨,୮୪୨ କୋଟି ଟଙ୍କା ଋଣ ଆକାରରେ ଆଣିଥିଲା। ମାତ୍ର ଯେଉଁ ଉଦ୍ଦେଶ୍ୟରେ ଏହି ଋଣ ଅଣାଯାଇଥିଲା, ସେହି କାମରେ ଏହି ଅର୍ଥକୁ ବିନିଯୋଗ ନକରି ଅନ୍ୟ କାମରେ ବିନିଯୋଗ କରାଯାଇଥିଲା । ୨୦୧୬ରେ ଏହି ଋଣକୁ ଅନାଦେୟ ଋଣ ଘୋଷଣା କରାଯାଇଥିଲା ଓ ୨୦୧୯ରେ ଏହା ଏକ ବଡ଼ ଠକେଇ ବୋଲି ଜଣାପଡ଼ିଥିଲା । ଏହି ମାମଲାରେ ସିବିଆଇ ଚଳିତ ବର୍ଷ ଫେବୃଆରୀ ମାସରେ ଏବିଜି କମ୍ପାନି ଓ ସିଏମଡି ଋଷି ଅଗ୍ରଓ୍ବାଲଙ୍କ ନାଁରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ସେହି ମାସରେ ମଧ୍ୟ ଇଡି ଏହି କମ୍ପାନି ବିରୋଧରେ ଏକ ମାମଲା ରୁ୍ଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା ।

Related Posts