ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି; ୧୯ ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୫ଟି ଉପକ୍ରମରେ ଆଜି ରାଜ୍ୟର ୧୯ଟି ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଆଜି ଲୋକସେବା ଭବନର କନ୍‌ଭେନସନ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଉପକ୍ରମରେ ରାଜ୍ୟର ୧୯ଟି ସହରରେ ୨୪X୭ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହି ସହର ଗୁଡିକ ହେଲା– ଭୁବନେଶ୍ବର, କଟକ, ନିମାପଡା, ବ୍ରହ୍ମପୁର, ଗୋପାଳପୁର, ରାଉରକେଲା, ସୁନ୍ଦରଗଡ, ବୀରମିତ୍ରପୁର, ରାଜଗାଙ୍ଗପୁର, କେନ୍ଦୁଝର, ଯୋଡା, ବଡବିଲ୍‌, ଚମ୍ପୁଆ, ଆନନ୍ଦପୁର, ବାରିପଦା, ରାଇରଙ୍ଗପୁର, ଉଦଳା, କରଞ୍ଜିଆ ଓ ବ୍ୟାସନଗର। ଏହିସବୁ ସହର ଗୁଡିକର ୫.୫୦ ଲକ୍ଷ ଲୋକ ଏଥିରୁ ଉପକାର ପାଇଲେ।

୫ଟି ଉପକ୍ରମରେ ପୁରୀରେ ସବୁ ଲୋକଙ୍କୁ ଡ୍ରିଙ୍କ ଫ୍ରମ ଟ୍ୟାପ ସୁବିଧା ମିଳିଥିଲା। ଆଜି ଗୋପାଳପୁରରେ ମଧ୍ୟ, ରାଜ୍ୟର ଦ୍ବିତୀୟ ସହର ଭାବରେ ଶତ ପ୍ରତିଶତ ଲୋକଙ୍କୁ ଡ୍ରିଙ୍କ ଫ୍ରମ ଟ୍ୟାପ ବ୍ୟବସ୍ଥାର ସୁବିଧା ମିଳିଲା। ଏହାବ୍ୟତୀତ ଖୋର୍ଦ୍ଧା, ଜଟଣୀ ଓ ହିଞ୍ଜିଳିକାଟୁ ସହର ପାଇଁ ମୁଖ୍ୟମନ୍ତ୍ରୀ ଡ୍ରିଙ୍କ ଫ୍ରମ ଟ୍ୟାପ କାର୍ଯ୍ୟକ୍ରମର ଆରମ୍ଭ ଘୋଷଣା କରିଥିଲେ । ଏହାଦ୍ବାରା, ଏହି ୩ଟି ସହରର ୧.୫୦ ଲକ୍ଷ ଲୋକ ଉପକାର ପାଇବେ।

ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି ପରିବାରକୁ ଭଲ ପିଇବା ପାଣି ଯୋଗାଇବା ମୋର ବହୁତ ଦିନର ସ୍ବପ୍ନ ଏବଂ ଏହା ସବୁବେଳେ ମୋ ସରକାରର ପ୍ରାଥମିକତା ହୋଇ ରହିଛି। ୧୯ଟି ସହରକୁ ଡ୍ରିଙ୍କ ଫ୍ରମ ଟ୍ୟାପ ସେବାରେ ଯୋଡି, ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଏକ ଐତିହାସିକ ଦିନ । ଜଳ ଆମ ସମସ୍ତଙ୍କ ପାଇଁ ଅମୂଲ୍ୟ। ତେଣୁ ଆମେ ଏହାକୁ ଉପଯୁକ୍ତ ଭାବେ ବ୍ୟବହାର କରିବା ଉଚିତ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ଗୋଟିଏ ବି ବୁନ୍ଦା ଜଳ ନଷ୍ଟ ନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳ ହେଉଛି ଜୀବନ। ଜନସ୍ବାସ୍ଥ୍ୟ ଓ ଦୈନନ୍ଦିନ ଜୀବନର ସୁବିଧା ପାଇଁ ସ୍ବଚ୍ଛ ଜଳ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫ଟି ଉପକ୍ରମରେ ଏହି ସୁବିଧା ଦ୍ବାରା ଜନସାଧାରଣଙ୍କ ଜୀବନ ଧାରଣ ମାନରେ ପ୍ରଭୂତ ଉନ୍ନତି ଆଣିବ। ବିଶ୍ବର ବଡବଡ ସହରର ବ୍ୟବସ୍ଥା ସହିତ ଆଜି ଓଡିଶାର ସହର ଗୁଡିକ ମଧ୍ୟ ଯୋଡି ହୋଇଛନ୍ତି ଏବଂ ବ୍ୟୁରୋ ଅଫ୍‌ ଷ୍ଟାଣ୍ଡାର୍ଡର ମାନ ଅନୁଯାୟୀ ଉତ୍ତମ ଓ ସ୍ବଚ୍ଛ ଜଳ ପାଇପାରୁଛନ୍ତି। ଏହି ସେବା ପାଇଁ ମୁଖ୍ୟମନ୍ତ୍ରୀ ୱାଟ୍‌କୋ ଧନ୍ୟବାଦ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦୃଢ ନେତୃତ୍ବ ଯୋଗୁ ଆଜି ଓଡିଶାବାସୀ ଉନ୍ନତ ମାନର ସେବା ପାଇପାରୁଛନ୍ତି। ସ୍ବଚ୍ଛ ପାନୀୟ ଜଳ ଯୋଗାଣ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ବୋଲି ପ୍ରକାଶ କରି ସେ ବିଭାଗୀୟ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ ।

ଓମ୍‌ବାଡସିର ଓଭରସାଇଟ୍‌ ଅଥରିଟି ଜଷ୍ଟିସ ଅନନ୍ତ ପଟ୍ଟନାୟକ କହିଲେ ଯେ ତାଙ୍କର କାର୍ଯ୍ୟର ଆବଶ୍ୟକତା ଯୋଗୁ ସେ ମାଇନିଂ ଅଂଚଳକୁ ପ୍ରାୟତଃ ଗସ୍ତ କରନ୍ତି। ପାଣି ପାଇଁ ଲୋକଙ୍କ ଅସୁବିଧାକୁ ସେ ଅନୁଭବ କରିଛନ୍ତି ବୋଲି ପ୍ରକାଶ କରି କହିଲେ ଯେ ଆଜି ସେ ଅଂଚଳ ଗୁଡିକରେ ପିଇବା ପାଣି କ୍ଷତ୍ରରେ ଉଲ୍ଲେଖନୀୟ କାମ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୂମିକା ବାସ୍ତବରେ ପ୍ରଶଂସନୀୟ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇଥିଲେ ଓ ୱାଟକୋର ସିଇଓ ପି.କେ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ବରର ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ୧୯ଟି ସହରର ନେତୃବୃନ୍ଦ, ଅଧିକାରୀଗଣ ଓ ଜନସାଧାରଣ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଡି ହୋଇଥିଲେ ।

Related Posts