ମୁଁ ସଂସଦରେ ଆଦାନୀ ପ୍ରସଙ୍ଗରେ କହୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତ ଥରୁଥିଲା: ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୪/୨(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସୋମବାର ରାହୁଲ ଗାନ୍ଧି କହିଛନ୍ତି ଯେ, ସଂସଦରେ କେଉଁ ପ୍ରସଙ୍ଗରେ ଆଲୋଚନା ହେଉଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବ୍ୟବସାୟୀ ଗୌତମ ଆଦାନୀଙ୍କ ମଧ୍ୟରେ କିଭଳି ଘନିଷ୍ଠତା ରହିଛି ତାହା ସମସ୍ତ ଦେଶବାସୀ ଜାଣିବା ଦରକାର ।କେରଳର ଓ୍ବାୟନାଡ୍‌ରେ ଅନୁଷ୍ଠିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ସେ କହିଛନ୍ତି ଯେ, ସଂସଦରେ ଆଦାନୀ ଗ୍ରୁପ୍‌ ବାବଦରେ ମୁଁ କହୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତ ଥରୁଥିଲା । ସତ ସବୁବେଳେ ସାମ୍ନାକୁ ଚାଲିଆସେ। ସେ କହିଛନ୍ତି ଯେ, ସଂସଦରେ ଆଦାନୀ ପ୍ରସଙ୍ଗରେ ମୁଁ ବକ୍ତବ୍ୟ ରଖିବା ବେଳେ ଆପଣମାନେ ମୋ ମୁହଁକୁ ଦେଖିବେ ଆଉ ପ୍ରଧାନମନ୍ତ୍ରୀଙ୍କ ମୁହଁକୁ ଦେଖିବେ । ଦେଖିବେ ପ୍ରଧାନମନ୍ତ୍ରୀ କେତେଥର ପାଣି ପିଉଛନ୍ତି ଏବଂ ପାଣି ପିଇବା ସମୟରେ ତାଙ୍କ ହାତ କିଭଳି ଥରୁଛି।

ନିଜ ସଂସଦୀୟ କ୍ଷେତ୍ର ଓ୍ବାୟନାଡ୍‌ରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ରାହୁଲ ଗାନ୍ଧି କହିଛନ୍ତି, ସଂସରେ ରଖୁଥିବା ବିବୃତି ମଧ୍ୟରୁ ଅନେକ ଗୁଡିଏ କାଟି ଦିଆଯାଉଛି । ମୁଁ କାହାକୁ ଅପମାନିତ କରିବା ଭଳି କିଛି କହୁନାହିଁ କିମ୍ବା ଉଦ୍ଦେଶ୍ୟମୂଳକ ଭାବେ ନିର୍ଦ୍ଧିଷ୍ଟ କାହାକୁ କହୁନାହିଁ । ତଥାପି କାହିଁକି ବକ୍ତବ୍ୟରୁ କିଛି କାଟି ଦିଆଯାଉଛି? ଅନେକ ଗୁଡିଏ ବକ୍ତବ୍ୟ ଏଡିଟ୍‌ କରାଯାଉଛି ଏବଂ ରେକର୍ଡକୁ ନିଆଯାଉ ନାହିଁ।

ରାହୁଲ ଆହୁରି କହିଛନ୍ତି ଯେ, ଗୌତମ ଆଦାନୀ ଅନେକ ଥର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ବିଦେଶ ଯାତ୍ରା କରିଛନ୍ତି । ଅନେକ ଦେଶରୁ କଣ୍ଟ୍ରାକ୍ଟ ମଧ୍ୟ ପାଇଛନ୍ତି । ମୁଁ ଏ ବିଷୟରେ ପଚାରିବାରୁ ମୋତେ ପ୍ରମାଣ ମଗାଯାଇଥିଲା । ମୁଁ ମଧ୍ୟ ଲୋକସଭାରେ ପ୍ରମାଣ ସହିତ ଯୁକ୍ତି ଉପସ୍ଥାପନ କରିଥିଲି । କିନ୍ତୁ ତାହାକୁ ଜାଣିଶୁଣି କାଟିଦିଆଗଲା।

ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନିଜକୁ ବହୁତ ଶକ୍ତିଶାଳୀ ଭାବୁଛନ୍ତି । ଆଉ ଭାବୁଛନ୍ତି ଜନତା ତାଙ୍କୁ ଭୟ କରିବେ । କିନ୍ତୁ ଜନତା କେବେ ଭୟ କରିବେନି । କାରଣ ଦିନେ ନା ଦିନେ ସେ ସତକୁ ସାମ୍ନା କରିବାକୁ ବାଧ୍ୟ ହେବେ।

Related Posts