ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୋଦିଙ୍କ ହେଲିକପ୍ଟର ନିକଟକୁ କଳା ବେଲୁନ ଛାଡ଼ିବା ମାମଲାରେ ୪ ଗିରଫ । ତେବେ ଧାରା ୧୪୪ରୁ ଊଲଙ୍ଘନ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା ଆନ୍ଧ୍ର ପୁଲିସ କହିଛି । ରାଜ୍ୟ ପୁଲିସ କହିଛି , ପ୍ରଧାନମନ୍ତ୍ରୀ ସୁରକ୍ଷା ସହ କୌଣସି ବୁଝାବଣା କରିହେବ ନାହିଁ । ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଉଡାଣ ଭରିବାର ୫ ମିନିଟ ପରେ ଏହି ବେଲୁନ ଗୁଡିକ ଛଡାଯାଇଥିବା ପୁଲିସ କହିଛି । ଗତକାଲି ମୋଦୀଙ୍କୁ ବିରୋଧ କରିବାକୁ ଯାଇ କଂଗ୍ରେସ କର୍ମୀ ଆକାଶକୁ ଏହି କଳା ବେଲୁନ ଛାଡିଥିଲେ । ଆନ୍ଧ୍ରପ୍ରଦେଶର ବିଜୟୱାଡାର ଗନ୍ନାୱରମ ବିମାନବନ୍ଦରରୁ ମୋଦୀଙ୍କ ବିମାନ ଉଡାଣ ଭରିଥିଲା । ଦୁଇଟି ହେଲିକପ୍ଟର ଆକାଶମାର୍ଗରେ ଯାଉଥିଲା । ଏହି ସମୟରେ କଂଗ୍ରେସ କର୍ମୀ ବିମାନ ବନ୍ଦର ପାଖରେ ଥିବା ଏକ ଅଧା ନିର୍ମାଣ କୋଠାରୁ କଳା ବେଲୁନ ଆକାଶ ମାର୍ଗକୁ ଛାଡିଥିଲେ । ଏହି ବେଲୁନରେ କଂଗ୍ରେସ କର୍ମୀ ପୋଷ୍ଟର ମଧ୍ୟ ଲଗାଇଥିଲେ । ମୋଦୀଙ୍କୁ ବିରୋଧ କରି ଏପରି କରିଥିଲେ କଂଗ୍ରେସ କର୍ମୀ ।

ସୋମବାର ଏକ କାର‌୍ୟ୍ୟକ୍ରମରେ ଯୋଗ ଦେବାକୁ ଆନ୍ଧ୍ରପ୍ରଦେଶ ଆସିଥିଲେ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏସପିଜି ଏହାକୁ ସୁରକ୍ଷାରେ ତ୍ରୁଟି ବୋଲି କହିଛି । ମାମଲାକୁ ଗମ୍ଭୀର ଭାବେ ନେଇ ଏସପିଜି ରାଜ୍ୟ ପୁଲିସଠାରୁ ସ୍ପଷ୍ଟୀକରଣ ମାଗିଛି । ଏସପିଜି ରାଜ୍ୟ ପୁଲିସକୁ ପଚାରିଛି, ଯଦି କଳା ବେଲୁନ ସହ ଡ୍ରୋନ ଉଡିଥାନ୍ତା ତାହାହେଲେ କଣ ହୋଇଥାନ୍ତା । ତେବେ ଆନ୍ଧ୍ର ପୁଲିସ ଏହାକୁ ସୁରକ୍ଷାରେ ତ୍ରୁଟି ନୁହଁ ବୋଲି କହିଛି । ଆନ୍ଧ୍ର ପୁଲିସ କହିଛି, ବେଲୁନ ଛଡାଯିବା ସମୟରେ ମୋଦିଙ୍କ ହେଲିକପ୍ଟର ଉଡାଣ ଭରିସାରିଥିଲା । ବିମାନବନ୍ଦରରୁ ୪ କିଲୋମିଟର ଦୂରରେ ଥିବା କୋଠାରେ ଚଢି ଏହି ହାଇଡ୍ରୋଜେନ ବେଲୁନ ଛାଡିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।