ବନ୍ଦ୍ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍; ବର୍ତ୍ତମାନ ମୋଟ ୩୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉପରମୁଣ୍ଡରୁ ଜଳପ୍ରବେଶ ପୂର୍ବ ତୁଳନାରେ ହ୍ରାସ ପାଇଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଗୁରୁବାର ଦିନ ୩ଟାରେ ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଜଳଭଣ୍ଡାରରୁ ଏହି ୪ଟି ଗେଟ୍‌ ବନ୍ଦ କରିଦିଆଯିବା ପରେ ଏବେ ମୋଟ ୩୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି। ଏଥିରେ ଡ୍ୟାମ ର ବାମ ପାର୍ଶ୍ବରୁ ୨୪ଟି ଥିବା ବେଳେ ଦକ୍ଷିଣ ପାର୍ଶ୍ବରୁ ୮ଟି ରହିଛି।ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ବର୍ତ୍ତମାନର ସ୍ଥିତିକୁ ଦେଖି ଆଶା କରାଯାଉଛି ଯେ, ଆଗାମୀ ସମୟରେ ହୀରାକୁଦ ଜଳଭଣ୍ଡାରରୁ ଆହୁରି ଗେଟ୍‌ ବନ୍ଦ କରି ଦିଆଯାଇପାରେ। ପର୍ଯ୍ୟାୟ କ୍ରମେ ଡ୍ୟାମ୍‌ରୁ ଗେଟ୍‌ଗୁଡ଼ିକ ବନ୍ଦ କରି ଦିଆ ଯିବା ପରେ ମହାନଦୀରେ ବନ୍ୟାଜଳ ହ୍ରାସ ପାଇବ, ଯାହା ତଳିଆ ଅଞ୍ଚଳର ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରିବ।

ଅନ୍ୟପଟରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରଟି ଆଜି ସ୍ପଷ୍ଟ ଚିହ୍ନିତ ଲଘୁଚାପ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆସନ୍ତାକାଲି ସକାଳେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଆଜିଠାରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ଆଜି ବେଶି ବର୍ଷା ହେବନି କିନ୍ତୁ ଅଗଷ୍ଟ ୧୯ ଓ ୨୦ରେ ରାଜ୍ୟରେ ବେଶି ବର୍ଷା ହେବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

Related Posts