ଭାରତରେ ଆରମ୍ଭ ହେଲା ୫ଜି ଯୁଗ; ଇଣ୍ଡିଆ ମୋବାଇଲ କଂଗ୍ରେସରେ ୫ଜି ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ଭାରତରେ ଆରମ୍ଭ ହୋଇଛି ୫ଜି ଯୁଗ । ଆଜି ଦିନ ୧୦ଟା ସମୟରେ ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନର ଇଣ୍ଡିଆ ମୋବାଇଲ କଂଗ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୫ଜି ସେବାର ଶୁଭାରମ୍ଭ କରିଛନ୍ତି ।ପ୍ରାଥମିକ ପର୍ଯ୍ୟାୟରେ ହାତଗଣତି କେତୋଟି ସହରରେ ଏହି ହାଇସ୍ପିଡ୍ ନେଟୱାର୍କ ସେବା ଆରମ୍ଭ ହେବ । ଆସନ୍ତା ଦୁଇ ବର୍ଷ ମଧ୍ୟରେ ସାରା ଦେଶରେ ୫ଜି ସେବା ଉପଲବ୍ଧ କରିବାର ଲକ୍ଷ୍ୟ ରଖାଯାଇଛି ।

ସୂଚନା ଅନୁସାରେ, ଏହି ୫ଜି ସେବା ୪ଜି ମୋବାଇଲ ସେବାଠାରୁ ପ୍ରାୟ ୧୦ ଗୁଣା ଅଧିକ ସ୍ପିଡ ରହିବ । ସେହିପରି ୩ଜି ଠାରୁ ୩୦ ଗୁଣା ଅଧିକ ସ୍ପିଡ ସେବା ଯୋଗାଇବ । ଆବଶ୍ୟକସ୍ଥଳେ ଏହି ସ୍ପିଡ ୧୦୦ ଗୁଣା ଯାଏଁ ଯାଇପାରେ ବୋଲି ଆଶା କରାଯାଉଛି । ୫ଜି ସେବା ଦ୍ବାରା ଅବାଧ କଭରେଜ, ହାଇସ୍ପିଡ ଡାଟା, କମ ବିଳମ୍ବତା ଓ ଅଧିକ ବିଶ୍ବସନୀୟ ଯୋଗାଯୋଗ ଉପଲବ୍ଧ ହେବ । ଏହାଦ୍ବାରା ଶକ୍ତି, ସ୍ପେକ୍ଟ୍ରମ ଓ ନେଟୱର୍କ ଦକ୍ଷତା ମଧ୍ୟ ବଢିବ । ସେହିପରି ୨ଜି ନେଟୱାର୍କରେ ଯେଉଁ ଫାଇଲ ଡାଉନଲୋଡ ପାଇଁ ଦୁଇ ଦିନ ୮ ଘଣ୍ଟା ସମୟ ଲାଗୁଥିଲା, ୩ଜି ନେଟୱାର୍କରେ ଦୁଇ ଘଣ୍ଟା ଏବଂ ୪ଜିରେ ୪୦ ମିନିଟ୍ ଲାଗୁଥିଲା, ୫ଜିରେ ତାହା ଡାଉନଲୋଡ ପାଇଁ ମାତ୍ର ୩୫ ସେକେଣ୍ଡ ସମୟ ଲାଗିବ । ଆଗାମୀ ଦୁଇ ବର୍ଷ ମଧ୍ୟରେ ଦେଶବ୍ୟାପୀ ୫ଜି ସେବା ଉପଲବ୍ଧ ହେବ ବୋଲି ପୂର୍ବରୁ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଥିଲେ ।

Related Posts