ଅକ୍ଟୋବରରୁ ଦେଶରେ ଆରମ୍ଭ ୫ଜି ମୋବାଇଲ ସେବା

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରୁ ଆରମ୍ଭ ୫ଜି ମୋବାଇଲ ସେବା। ଶସ୍ତା ଦାମରେ ମିଳିବ ସେବା । ଏନେଇ କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଟେଲିକମ କ୍ଷେତ୍ରକୁ ଆବଶ୍ୟକ ସାରଞ୍ଜମ ସାରା ଦେଶରେ ଲଗାଇବା ପାଇଁ ପୂର୍ବରୁ କହିଥିଲୁ। ସେହିପରି ୫ଜି ସ୍ପେକ୍ଟ୍ରମର ନିଲାମୀ ମଧ୍ୟ ଶେଷ ହୋଇଛି। ଆଜି ଆମ କମିଟି ବୈଠକ କରି ସ୍ପେକ୍ଟ୍ରମ ଆବଣ୍ଟନ ବଣ୍ଟନକୁ ଅନୁମତି ଦେବା ପ୍ରକ୍ରିୟା ଆରମ୍ଭ କରିଛି। ସମ୍ଭବତଃ ଅଗଷ୍ଟ ୧୦ ସୁଦ୍ଧା ସ୍ପେକ୍ଟ୍ରମ ଆବଣ୍ଟନ ହୋଇଯିବ। ଏହାପରେ ଅକ୍ଟୋବର ମାସରୁ ଆମେ ୫ଜି ସେବା ବିଧିବଦ୍ଧ ଭାବେ ଆରମ୍ଭ କରିପାରିବୁ। ବର୍ତ୍ତମାନ ଭାରତୀୟ ଟେଲିକମ ସେବା ଅତ୍ୟନ୍ତ ଶସ୍ତାରେ ସମସ୍ତଙ୍କ ପାଇଁ ଉପଲବ୍ଧ ହେଉଛି। ଆମର ଆଶା ୫ଜିରେ ମଧ୍ୟ ସେହି ଧାରା ଜାରି ରହିବ।”

୫ଜିର ବିକିରଣ ସମ୍ପର୍କରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଆମେରିକା ଓ ୟୁରୋପ ତୁଳନାରେ ଭାରତରେ ଆରମ୍ଭ ହେବାକୁ ଥିବା ୫ଜି ନେଟୱର୍କର ବିକିରଣ ୧୦ ଗୁଣା କମ। ସେ ଆହୁରି କହିଛନ୍ତି, “କମ ବିକିରଣର ଅର୍ଥ ଆମେ ଉତ୍ତମ ଗୁଣବତ୍ତାର ସେବା ଯୋଗାଇ ପାରିବୁ। ଆମେ ଗୋଟିଏ ସୁରକ୍ଷିତ ପରିବେଶ ସୃଷ୍ଟି କରିପାରିବା। ସେବା ଆରମ୍ଭ ହେବା ପରେ ୫ଜି ହ୍ୟାଣ୍ଡସେଟ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବ। ଆମେ ସର୍ବାଧିକ ମୋବାଇଲ ଉତ୍ପାଦନ କରୁଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛୁ। ଭାରତରେ ତିଆରି ହେଉଥିବା ୨୦ରୁ ୩୦% ମୋବାଇଲ ଏବେ ୫ଜି ନେଟୱର୍କକୁ ପରିଚାଳନା କରିପାରିବାର କ୍ଷମତା ରଖିଛି। ୫ଜି ମୋବାଇଲର ଦାମ ପ୍ରତି ବର୍ଷ ହ୍ରାସ ପାଉଛି। ପ୍ରାୟ ବର୍ଷକ ମଧ୍ୟରେ ସବୁ ଫୋନ ୫ଜି ହୋଇଯାଇଥିବ।”

Related Posts