ସଙ୍କଟରେ ପ୍ରବାସୀ ଶ୍ରମିକ ଶିଶୁଙ୍କ ପାଠପଢ଼ା, ଅଭିଭାବକଙ୍କୁ ସହ କାର୍ଯ୍ୟସ୍ଥଳୀକୁ ଯାଉଛନ୍ତି ୬୯% ପିଲା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କରୋନା କଟକଣା, ଲକ୍‌ଡାଉନ୍‌ , ସଟଡାଉନ୍ ଏତେ ସବୁ ପ୍ରତିବନ୍ଧକ ମଧ୍ୟରେ ସ୍କୁଲ ଶିକ୍ଷା ଏବେ ସଙ୍କଟରେ। ସ୍କୁଲ କଲେଜ ବନ୍ଦ ଯୋଗୁଁ ଅନଲାଇନ କ୍ଲାସ ହେଉଛି। କିନ୍ତୁ ଇଣ୍ଟରନେଟ ଏବଂ ସ୍ମାର୍ଟ ଫୋନ ନଥିବା ଯୋଗୁଁ ପ୍ରବାସୀ ଶ୍ରମିକ ପିଲାମାନଙ୍କ ଭବିଷ୍ୟତ ଏବେ ଅନ୍ଧାରରେ। ସବୁଠାରୁ ବିଡମ୍ବନାର ବିଷୟ ହେଉଛି ଅନୁସୂଚିତ ଜାତି, ଜନଜାତି ଛାତ୍ରାବାସ ବନ୍ଦ ସାଙ୍ଗକୁ ଆର୍ଥିକ ଦୁରାବସ୍ଥା ଯୋଗୁଁ ଏମାନେ ଏବେ ଅଭିଭାବକଙ୍କ ସହିତ କାର୍ଯ୍ୟକ୍ଷେତ୍ରକୁ ଯାଉଛନ୍ତି। ଅନେକ ଗଡାଏ ପିଲା ଅଧାରୁ ପାଠ ଛାଡ଼ି ଏବେ କାମ କରିବାକୁ ଚାଲିଗଲେଣି। କୋଭିଡ୍ ଯୋଗୁଁ ପ୍ରବାସୀ ଶିଶୁଙ୍କ ପାଠପଢ଼ାକୁ ନେଇ ସାମାଜିକ ସଙ୍ଗଠନ ଏଡେଡ୍ ଆକ୍ସନ ଏଡ୍‌ ପକ୍ଷରୁ କରାଯାଇଥିବା ନମୁନା ସର୍ଭେ ରିପୋର୍ଟରେ ଏଭଳି ସାଙ୍ଘାତିକ ଚିତ୍ର ସାମ୍ନାକୁ ଆସିଛି। 

     ଓଡ଼ିଶାର ୨୧, ତାମିଲନାଡ଼ୁର ୨୦ , ବିହାରର ୨୨ ଏବଂ ତେଲେଙ୍ଗାନା ୪୬, ମୋଟ ୧୦୯ ପ୍ରବାସୀ ଶ୍ରମିକଙ୍କ ଶିଶୁଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ସର୍ଭେ ରିପୋର୍ଟ ଅନୁଯାୟୀ ରାଜଧାନୀ ଭୁବନେଶ୍ବର, ପାଟନା, ହାଇଦ୍ରାବାଦ ଏବଂ ଚେନ୍ନାଇ ସ୍ଥିତ ୧୮ଟି ଇଟାଭାଟି, ୨୭ଟି ନିର୍ମାଣସ୍ଥଳରେ ଏହି ଶ୍ରମିକମାନେ କାମ କରୁଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଶିଶୁ ବିଶେଷ କରି  ଝିଅ ପିଲା ମାନଙ୍କୁ ପାଠପଢାରେ ସାମିଲ କରାଇବା ଜରୁରୀ ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। 

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ପୁତୁଲାମହୁଲ ଗାଁର ବଳରାମ ସାହୁ , ଝିଅର ନାମ ଝରଣା(୧୩)ର ଦୀର୍ଘ ୨ ବର୍ଷ ହେଲାଣି ପାଠପଢ଼ା ଠପ୍ ପଡିଛି। ବଳରାମ କହିଛନ୍ତି ଯେ , ସେ ପ୍ରତିବର୍ଷ ବିଶାଖାପାଟଣାକୁ ଇଟାଭାଟିରେ କାମ କରିବାକୁ ଯାଇଥାନ୍ତି। ଜାନୁଆରି ମାସରେ ଯାଆନ୍ତି ଏବଂ ଜୁନ ମାସ ଶେଷ ଆଡକୁ ଫେରି ଆସନ୍ତି। ଯିବାବେଳେ ଦୁଇ ଝିଅ ଏବଂ ପୁଅକୁ ସାଙ୍ଗରେ ନେଇ ଚାଲି ଯାଆନ୍ତି। ପୁତଲାମଲି ପ୍ରାଥମିକ ସ୍କୁଲରେ ଦୁଇ ପିଲାଙ୍କ ଆଡମିଶନ କରାଇଛନ୍ତି, ଯେତେବେଳେ କାମ କରିବାକୁ ବାହାରକୁ ଯାଇଥାନ୍ତି ସେଠାରେ ଥିବା ପ୍ରବାସୀ ଶ୍ରମିକ ପିଲାଙ୍କ ପାଇଁ ଥିବା ସ୍କୁଲରେ ପିଲାମାନେ ପାଠ ପଢ଼ନ୍ତି। 

     କିନ୍ତୁ ମହାମାରୀ କଟକଣା ଯେ ଦୀର୍ଘ ୨ ବର୍ଷ ହେଲାଣି ସ୍କୁଲ ବନ୍ଦ , ପିଲାଙ୍କ ପାଠପଢା ମଧ୍ୟ ବନ୍ଦ ପଡିଛି । ଗାଁ ସ୍କୁଲରେ ମୋବାଇଲରେ ପାଠପଢ଼ା ହେଉଥିଲେ ମଧ୍ୟ ସ୍ମାର୍ଟ ଫୋନ ନଥିବାରୁ ପିଲାମାନେ ପାଠପଢାରୁ ବଞ୍ଚିତ। ତେବେ ଏହା ହେଉଛି ଏକମାତ୍ର ଉଦାହରଣ ସାରା ରାଜ୍ୟରେ ଏମିତି ହଜାର ହଜାର ପ୍ରବାସୀ ଶ୍ରମିକମାନଙ୍କ ପିଲାଙ୍କର ସମାନ ସ୍ଥିତି। 

ଏହି ସର୍ଭେରେ ପ୍ରବାସୀ ଶ୍ରମିକଙ୍କ ପିଲାଙ୍କ ପାଠପଢାକୁ ନେଇ ଉଦବେଗ ଜନକ ଚିତ୍ର ସାମ୍ନାକୁ ଆସିଛି। ସର୍ଭେ କହୁଛି , ସ୍କୁଲ ବନ୍ଦ ଯୋଗୁଁ ଇଟାଭାଟିରେ କାମକରୁଥିବା ବାପା-ମାଙ୍କ ସହିତ ପିଲାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ରିପୋର୍ଟ ଅନୁଯାୟୀ ଗତବର୍ଷ ୬ରୁ ୧୪ ବର୍ଷର ୪୯ ପ୍ରତିଶତ ଶିଶୁ ସେମାନଙ୍କ ବାପା ମାଙ୍କ ସହ କାର୍ଯ୍ୟସ୍ଥଳକୁ ଯାଇଥିଲେ, ଆଉ ଚଳିତ ବର୍ଷ ଏହି ସଂଖ୍ୟା ୬୯ ପ୍ରତିଶତକୁ ବୃଦ୍ଧି ପାଇଛି। ଚଳିତ ବର୍ଷ ସ୍କୁଲଗୁଡ଼ିକ ବନ୍ଦ ଯୋଗୁଁ ୬୯ ପ୍ରତିଶତ ପ୍ରବାସୀ ଶ୍ରମିକ ନିଜ ପିଲାଙ୍କୁ ନେଇ କାର୍ଯ୍ୟସ୍ଥଳକୁ ଯାଇଥିଲେ ।

      ସେମାନଙ୍କ କହିବା ଅନୁସାରେ, ୧୧ ପ୍ରତିଶତ ଅଭିଭାବକ ପରିବାରରେ ଅନ୍ୟ କେହି ସଦସ୍ୟ ନଥିବା ହେତୁ ଏବଂ ୮ ପ୍ରତିଶତ ଶିଶୁଙ୍କ ସୁରକ୍ଷା ଦୃଷ୍ଟିରୁ ସାଙ୍ଗରେ ନେଇ କାର୍ଯ୍ୟସ୍ଥଳକୁ ଆଣିଥିବା କହିଛନ୍ତି। ୨ ପ୍ରତିଶତ ଅଭିଭାବକ କହିଛନ୍ତି , ସେମାନଙ୍କ ପିଲାମାନେ ଳ ଛାତ୍ରାବାସରେ ରହି ପାଠପଢନ୍ତି। ବର୍ତ୍ତମାନ କରୋନା ଯୋଗୁଁ ଛାତ୍ରାବାସ ବନ୍ଦ ଥିବାରୁ ସେମାନେ ଚଳିତବର୍ଷ ପ୍ରଥମ ଥର ପାଇଁ ନିଜ ଛୁଆ ମାନଙ୍କୁ କାର୍ଯ୍ୟକ୍ଷେତ୍ରକୁ ଆଣିଛନ୍ତି। ୪୩ ପ୍ରତିଶତ ଅଭିଭାବକ କହିଛନ୍ତି, ସ୍କୁଲ ଯାଉଥିବା ପିଲାଙ୍କୁ ଘରେ ସେମାନଙ୍କ ସମ୍ପର୍କୀୟଙ୍କ ପାଖରେ ଛାଡ଼ି କାମକୁ ଆସିଥାଆନ୍ତି। କିନ୍ତୁ ଚଳିତ ବର୍ଷ ମଧ୍ୟ ସ୍କୁଲ ବନ୍ଦ ଥିବାରୁ ସେମାନେ ପିଲାଙ୍କୁ ନେଇ ଆସିଥିବା କହିଛନ୍ତି।

୯୨ ପ୍ରତିଶତ ଅଭିଭାବକ କହିଛନ୍ତି ଯେ କୋଭିଡ୍ ଯୋଗୁଁ ସେମାନଙ୍କ ପିଲାମାନେ ଅନ୍‌ଲାଇନ୍‌ ପାଠପଢ଼ାରୁ ବଞ୍ଚିତ । ୪୪ ପ୍ରତିଶତ ଅଭିଭାବକ କହିଛନ୍ତି, ସ୍ମାର୍ଟଫୋନ କିଣିବା କିମ୍ବା ଡାଟା ରିଚାର୍ଜ ପାଇଁ ସେମାନଙ୍କ ପକ୍ଷରେ ଆର୍ଥିକ ସମ୍ବଳ ନାହିଁ । ୨୮ ପ୍ରତିଶତ ଅଭିଭାବକ କହିଛନ୍ତି ଯେ , କାର୍ଯ୍ୟସ୍ଥଳରୁ ଘରକୁ ଫେରିବା ପରେ ପିଲାଙ୍କ ଆଡ୍‌ମିସନ୍‌ ଗାଁ ସ୍କୁଲରେ ହୋଇ ପାରିନଥିବାରୁ ପାଠପଢ଼ା ଠପ୍ ହୋଇଯାଇଛି। ସ୍କୁଲ ବନ୍ଦ ଥିବାରୁ ପିଲାଙ୍କ ଆଡମିଶନ କେମିତି ହେବ ଏ ସମ୍ପର୍କରେ ସେମାନେ ଜାଣିନଥିବା କହିଛନ୍ତି। ନାମ ଲେଖାଇଥିବା ପ୍ରବାସୀ ଶ୍ରମିକଙ୍କ ଶିଶୁଙ୍କ ମଧ୍ୟରେ ୨୮ ପ୍ରତିଶତ ଶିଶୁ ପାଠ୍ୟ ଉପକରଣ ପାଇଥିବା, ୨୨ ପ୍ରତିଶତ ଉଭୟ ଏମ୍‌ଡିଏମ୍‌ ଟଙ୍କା, ପାଠ୍ୟ ଉପକରଣ, ୧୯ ପ୍ରତିଶତ କେବଳ ଏମ୍‌ଡିଏମ୍‌ ଟଙ୍କା ପାଇଥିବା କହିଛନ୍ତି। ତେବେ ଚିନ୍ତା ଜନକ ବିଷୟ ହେଉଛି ୩୧ ପ୍ରତିଶତ ସବୁଥିରୁ ବଞ୍ଚିତ ହୋଇଥିବା କହିଛନ୍ତି।

ସ୍କୁଲ ବନ୍ଦ ଯୋଗୁଁ ୫୦ ପ୍ରତିଶତ ପିଲା କାମରେ ଲାଗିଥିବା ବେଳେ ୪୬ ପ୍ରତିଶତ ଅଭିଭାବକଙ୍କୁ କାର୍ଯ୍ୟରେ ସହଯୋଗ କରୁଛନ୍ତି, ୨୬ ପ୍ରତିଶତ ପିଲା ନିଜ ଭାଇ, ଭଉଣୀଙ୍କ ଯତ୍ନ ନେଉଛନ୍ତି, ୪ ପ୍ରତିଶତ ଶିଶୁ ବୁଲାବୁଲି କରୁଥିବା ଏବଂ ୨୦ ପ୍ରତିଶତ ପିଲା କାର୍ଯ୍ୟକ୍ଷେତ୍ର ନିକଟରେ ଥିବା ସ୍କୁଲରେ ପଢୁଛନ୍ତି। ତେବେ ୪୫ ପ୍ରତିଶତ ଅଭିଭାବକଙ୍କ କହିବା କଥା ହେଉଛି କଟକଣା ସହ ଯଦି ସ୍କୁଲ ଖୋଲାଯାଉ ନଚେତ୍ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ। ୧୯ ପ୍ରତିଶତ ଅଭିଭାବକଙ୍କ କହିବା କଥା ହେଉଛି, ସରକାରଙ୍କ ପକ୍ଷରୁ କମ୍ୟୁନିଟି କ୍ଲାସ୍‌ ଖୋଲାଗଲେ ତାଙ୍କ ପିଲା ପାଠ ପଢିପାରିବେ। 

Related Posts