ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗତ ୧୧ ବର୍ଷରେ ଗଞ୍ଜାମ ପୋଲିସ ୬୩ ଅପରାଧୀଙ୍କୁ କରିଛି ଏନ୍କାଉଣ୍ଟର୍। ତେବେ ୨୦୧୫ରେ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ୨୦୧୭ ଓ ୨୦୧୮ରେ ଏହା ଆହୁରି ଜୋର୍ଦାର ହୋଇଥିଲା। ଏକାଧିକ ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ପୁଲିସ ଏନ୍କାଉଣ୍ଟର୍ର ଶିକାର ହୋଇଥିଲେ। ଫଳରେ ଅପରାଧ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ନଥିଲେ ବି ଅପରାଧୀଙ୍କ ମନରେ କୋକୁଆ ଭୟ ଖେଳିଯାଇଥିଲା।
ଚଳିତ ମେ’ ମାସର ୩ଟିି ଏନ୍କାଉଣ୍ଟର୍କୁ ମିଶାଇ ଗତ ୧୧ ବର୍ଷ ଭିତରେ ବ୍ରହ୍ମପୁର ପୁଲିସ ଜିଲ୍ଲା ଓ ଗଞ୍ଜାମ ପୁଲିସ ଜିଲ୍ଲାରେ ମୋଟ ୬୩ଟି ଏନ୍କାଉଣ୍ଟର୍ ହୋଇଛି। ୨୦୧୯ରେ ଏହି ଧାରା ବନ୍ଦ ହୋଇଯାଇଥିବା ବେଳେ ଗତବର୍ଷ ଅଗଷ୍ଟ ୨ ତାରିଖରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହାକ ଓରଫ୍ ମାଲା ପୁଲିସ ଏନ୍କାଉଣ୍ଟର୍ରେ ଆହତ ହୋଇଥିଲା। ବର୍ତ୍ତମାନ ପରିସ୍ଥିତିରେ ପୁଣିଥରେ ଅପରାଧୀଙ୍କ ଆତଙ୍କ ସାଧାରଣ ଲୋକଙ୍କ ପାଇଁ ବିପଦ ଆଣିଛି।
ଗୋଷ୍ଠୀ ଛକାପଞ୍ଝା ସହ ପ୍ରତିଶୋଧ ପରାୟଣ ହୋଇ ଅପରାଧୀମାନେ ଗୋଟିଏ ପରେ ଜଘନ୍ୟ କାଣ୍ଡ ଘଟାଉଛନ୍ତି। ଗତ ୧୬ ତାରିଖରେ ଓଭରବ୍ରିଜ୍ ଉପରୁ ଜଣେ ଯୁବକଙ୍କୁ ଠେଲି ହତ୍ୟା ଉଦ୍ୟମ, ଗତ ୧୮ ତାରିଖରେ ଜଣେ ଯୁବକଙ୍କୁ ରାସ୍ତାରେ ନିର୍ଘାତ ପିଟିବା ଏବଂ ଗତକାଲି ଜଣେ ଯୁବକଙ୍କୁ ହାଣିବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଫଳରେ ତିନିଟିଯାକ ସମ୍ବେଦନଶୀଳ ମାମଲାର ଅଭିଯୁକ୍ତଙ୍କୁ ପୁଲିସ ଏନ୍କାଉଣ୍ଟର୍ କରି ଅପରାଧୀଙ୍କୁ କଡ଼ା ବାର୍ତ୍ତା ଦେଇଛି।
