୯୫ % ନିର୍ବାଚନୀ ଚାନ୍ଦା ବିଜେପିକୁ ଯାଉଛି, ଇଡି ଭୟରେ ଅନ୍ୟ ଦଳକୁ କେହି ଚାନ୍ଦା ଦେଉନାହାନ୍ତି: ଅଶୋକ ଗେହଲୋଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଶନିବାର ନିର୍ବାଚନ ଚାନ୍ଦାକୁ ନେଇ ବଡ ଆଣିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଆମ ଦେଶରେ ରାଜନୈତିକ ଚାନ୍ଦା ଉପରେ ମଧ୍ୟ ଗୋଟିଏ ପାର୍ଟି ନିଜର ଏକାଧିପତ୍ୟ ବିସ୍ତାର କରି ରଖିଛି। ୯୫ ପ୍ରତିଶତ ଚାନ୍ଦା ବିଜେପିକୁ ଯାଉଥିବାର ସେ ଅଭିଯୋଗ କରିଛନ୍ତି। ଦାତାମାନେ ଅନ୍ୟ ରାଜନୈତିକ ଦଳଙ୍କୁ ଚାନ୍ଦା ଦେବାକୁ ଡରୁଥିବା ସେ କହିଛନ୍ତି।

ଗୁଜରାଟ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ସୁରଟରେ ପ୍ରଚାର ଅଭିଯାନ ଲାଗି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଗେହଲୋଟ ଏହା କହିଛନ୍ତି। କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳଙ୍କୁ କର୍ପୋରେଟ ଓ ଉଦ୍ୟୋଗ ଗୃହମାନେ ଚାନ୍ଦା ଦେବାକୁ ଆଗ୍ରହୀ ଥିଲେ ମଧ୍ୟ ବିଜେପିର ଧମକରେ ସେମାନେ ପଛ ଘୁଞ୍ଚା ଦେଉଥିବା ଗେହଲୋଟ କହିଛନ୍ତି। ଗେହଲୋଟ କହିଛନ୍ତି ଯେ, ଯଦି ଅନ୍ୟ ଦଳ ମାନଙ୍କୁ କେହି ଚାନ୍ଦା ଦେଉଛନ୍ତି ତେବେ ସେମାନଙ୍କ ଘରକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଆୟକର ବିଭାଗ (ଆଇଟି)ଙ୍କୁ ପଠାଇ ଦିଆଯାଉଛି।

ତେବେ ଦଳୀୟ ଚାନ୍ଦା ଉପରେ ଏକାଧିପତ୍ୟ ବିସ୍ତାର କରିଥିବା ବିଜେପି କୋଟି କୋଟି ଟଙ୍କା ଠୁଳ କରିଥିବା ବେଳେ ସାରା ଦେଶରେ ଫାଇଭଷ୍ଟାର ପାର୍ଟି କାର୍ଯ୍ୟାଳୟ ନିର୍ମାଣରେ ଖର୍ଚ୍ଚ କରୁଛି। ଦେଶରେ ନିର୍ବାଚନୀ ବଣ୍ଡ ଆରମ୍ଭ କରାଯିବା ପରଠାରୁ ୯୫ ପ୍ରତିଶତ ଚାନ୍ଦା ବିଜେପି ଖାତାକୁ ଯାଉଥିବା ସେ କହିଛନ୍ତି। ଚାନ୍ଦା ଦାତା ମାନେ ଇଡି ଓ ଆୟକର ବିଭାଗ ଡରରେ ଅନ୍ୟ ରାଜନୈତିକ ଦଳଙ୍କୁ ଚାନ୍ଦା ଦେଉ ନଥିବା ସେ ଅଭିଯୋଗ କରିଛନ୍ତି। ଏହି ଚାନ୍ଦାରେ ବିଜେପି ଏକ ମଡେଲ ମଧ୍ୟ ଉପସ୍ଥାପନ କରିଛି। ଚାନ୍ଦାରୁ ଆସୁଥିବା ଅର୍ଥକୁ ଅଣ ବିଜେପି ଶାସିତ ରାଜ୍ୟରେ ସରକାର ଭାଙ୍ଗିବା ଲାଗି ବିଧାୟକ ମାନଙ୍କୁ କିଣିବାରେ ଉପଯୋଗ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।

ଏହି ଅବସରରେ ଗେହଲୋଟ ବିଜେପିକୁ ଫାଶିବାଦ ରାଜନୈତିକ ଦଳ ବୋଲି କହିଛନ୍ତି। ଏହି ଦଳ କୌଣସି ନୀତି, କାର୍ଯ୍ୟକ୍ରମ ଅଥବା ସିଦ୍ଧାନ୍ତ ବଦଳରେ ଧାର୍ମିକ ଆଧାରରେ ନିର୍ବାଚନ ଜିତୁଥିବା ସେ କହିଛନ୍ତି। ଗୁଜରାଟ ମହାତ୍ମା ଗାନ୍ଧିଙ୍କ ଭୂମି, ହେଲେବି ଏଠାରେ ହିଂସା ଓ ଅଶାନ୍ତିର ପରିବେଶ ରହିଛି। ଏପରି ପରିସ୍ଥିତି କୌଣସି ଦେଶର ଗଣତନ୍ତ୍ର ଲାଗି ବାସ୍ତବିକ ଚିନ୍ତାଜନକ ବୋଲି ଗେହଲୋଟ କହିଛନ୍ତି। ସମାଜର ସବୁ ବର୍ଗ ଏବେ ବିଜେପି ଉପରେ ଅସନ୍ତୁଷ୍ଟ ଥିବା ସେ କହିଛନ୍ତି। ଏଣୁ ଏବେ ସରକାରକୁ ହଟାଇବାର ସମୟ ଆସିଯାଇଥିବା ବେଳେ କଂଗ୍ରେସ ରାଜ୍ୟରେ ସରକାର ଗଢିବାକୁ ପ୍ରସ୍ତୁତ ବୋଲି ଗେହଲୋଟ କହିଛନ୍ତି।

ସେହିପରି ଏହି ଅବସରରେ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ମଧ୍ୟ ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲୋଟ ବର୍ଷିଛନ୍ତି। କେଜରିୱାଲ ମିଡିଆକୁ ନିୟନ୍ତ୍ରିତ କରୁଥିବାର ଅଭିଯୋଗ ସେ କରିଛନ୍ତି। ତାଙ୍କ ଟିଭି ସାକ୍ଷାତକାର ମଧ୍ୟ ଏକ ନାଟକ ବୋଲି ଗେହଲୋଟ କହିଛନ୍ତି। କେଜରିୱାଲ ମଧ୍ୟ ଯାହା କରୁଛନ୍ତି ତାହା ଗଣତନ୍ତ୍ର ଲାଗି ବିପଦଜନକ ବୋଲି ଗେହଲୋଟ ଏହି ଅବସରରେ କହିଛନ୍ତି।

Related Posts