ବିଧାୟକ ମାନଙ୍କୁ କିଣିବାକୁ ଉଦ୍ୟମ କରୁଛନ୍ତି ଅମିତ୍ ଶାହା, ତାଙ୍କୁ ଗିରଫ କରାଯାଉ: ମନିଷ ସିସୋଦିଆ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ତେଲେଙ୍ଗାନାର ସରକାରରେ ଥିବା ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ବିଧାୟକଙ୍କୁ ବିଜେପିରେ ମିଶିବା ପାଇଁ ପ୍ରଲୋଭିତ କରାଯାଇଥିବା ଅଭିଯୋଗ ଉପରେ ଅମିତ ଶାହଙ୍କୁ ଗିରଫ କରାଯାଉ ବୋଲି ସିସୋଦିଆ ଦାବି କରିଛନ୍ତି। ଯଦି ଅପରେଶନ ଲୋଟସରେ ଅମିତ ଶାହଙ୍କ ନା ଥିବା ସାମ୍ନାକୁ ଆସୁଛି ତାଙ୍କୁ ଗିରଫ କରାଯିବା ଉଚିତ ବୋଲି ସିସୋଦିଆ କହିଛନ୍ତି।

ସେ କହିଛନ୍ତି ଯେ, ପୂର୍ବରୁ ଦଲ୍ଲୀ, ପଞ୍ଜାବ ଓ ଦେଶର ଅନ୍ୟ ୮ଟି ରାଜ୍ୟରେ ମଧ୍ୟ ବିଜେପି ପକ୍ଷରୁ ସମାନ ଉଦ୍ୟମ ହୋଇଥିଲା। କେତେକ ସ୍ଥାନରେ ସେମାନେ ସଫଳ ମଧ୍ୟ ହୋଇଛନ୍ତି। ଦିଲ୍ଲୀର ଆମ ଆଦମୀ ବିଧାୟକଙ୍କୁ ବିଜେପି କିଣିବା ପାଇଁ ଉଦ୍ୟମ କରିଥିଲା। କିନ୍ତୁ ବିଜେପିର ମିଶନ ଲୋଟସ ବିଫଳ ହୋଇଥିଲା। ଏବେ ବିଜେପି ତେଲେଙ୍ଗାନାରେ ସମାନ କାମ ଆରମ୍ଭ କରିଛି ବୋଲି ସେ କହିଛନ୍ତି। ବିଧାୟକ ମାନଙ୍କୁ କିଣିବାରେ ସିଧାସଳଖ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ନାମ ଆସୁଛି। ତେଣୁ ତାଙ୍କ ବିରୋଧରେ ଉଚିତ୍ ତଦନ୍ତ କରାଯାଉ ଓ ସେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଗିରଫ କରାଯାଉ ବୋଲି ମନୀଷ କହିଛନ୍ତି।

ସୂଚନା ଅନୁଯାୟୀ, ତେଲେଙ୍ଗାନା ରାଷ୍ଟ୍ର ସମିତି’ (ଟିଆର୍‌ଏସ୍‌) ବିଧାୟକମାନଙ୍କୁ ଖରିଦ କରିବା ଲାଗି ବିଜେପି ଉଦ୍ୟମ କରିଥିବା ଦଳ ଅଭିଯୋଗ ଆଣିଥିଲା। ଏଥି ନିମନ୍ତେ ବୁଝାମଣା କରୁଥିବା ୩ଜଣଙ୍କୁ ଗୋଟାଏ ଫାର୍ମ ହାଉସ୍‌ରୁ ଧରାଯାଇ ପୁଲିସ ଅଟକ ରଖିଥିଲା । ଏହି କିଣାବିକା ମାମଲାର ଟାର୍ଗେଟ୍‌ରେ ଥିବା ତେଲେଙ୍ଗାନା ରାଷ୍ଟ୍ର ସମିତିର ୪ଜଣ ବିଧାୟକ ପୁଲିସକୁ ସୂଚନା ଦେଇଥିଲେ। ବିଧାୟକ ଖରିଦ ନିମନ୍ତେ ୧୦୦ କୋଟିରୁ ଅଧିକ ଟଙ୍କାର କାରବାର ନେଇ ଚର୍ଚ୍ଚା ହୋଇଥିଲା। ତେବେ ବିଧାୟକ କିଣିବା ପାଇଁ ୩ ଜଣଙ୍କ ଡିଲର ଏକ ଅଡ଼ିଓ ସାମ୍ନାକୁ ଆସିଥିଲା। ଏହି ଅଡ଼ିଓରେ ଅମିତ ଶହାଙ୍କ ନାମ ଥିବା ସିସୋଦିଆ ଅଭିଯୋଗ କରିଛନ୍ତି । ବିଧାୟକ କିଣାବିକା ଉଦ୍ୟମ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ବିପଜ୍ଜନକ । ଏହି କିଣାବିକାରେ ସମ୍ପୃକ୍ତ ଥିବା ଶାହଙ୍କୁ ଗିରଫ କରିବା ପାଇଁ ସିସୋଦିଆ ଦାବି କରିଥିଲେ।

Related Posts