ସ୍କୁଲ ପିଲାଙ୍କୁ ମିଳିବ ବାଟଖର୍ଚ୍ଚ

ସତ୍ୟପାଠ ବ୍ୟୁରୋ : ସ୍କୁଲ ପିଲାଙ୍କୁ ମିଳିବ ବାଟଖର୍ଚ୍ଚ । ୧ କିମିରୁ ଅଧିକ ଦୂର ଯିବାକୁ ପଡୁଥିଲେ ସରକାର ଏନେଇ ଖର୍ଚ୍ଚ ବହନ କରିବେ । ଉକ୍ତ ବାଟଖର୍ଚ୍ଚ ସିଧାସଳଖ ଅଭିଭାବକଙ୍କ ଆକାଉଣ୍ଟକୁ ଆସିବ । ଏନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ।

ସେ ଆହୁୁରି ମଧ୍ୟ କହିଛନ୍ତି ଯେ, ୧୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡିକୁ ଚଳିତ ଶିକ୍ଷାବର୍ଷରୁ ବନ୍ଦ କରି ଦିଆଯିବ । ପ୍ରାୟ ୯୬୬ଟି ସ୍କୁଲକୁ ଏଥିଲାଗି ଚିହ୍ନଟ କରାଯାଇଛି । ଏହିସବୁ ସ୍କୁଲରେ ଯେଉଁପିଲା ପଢ଼ୁଥିଲେ ସେମାନଙ୍କୁ ପାଖ ସ୍କୁଲକୁ ନିଆଯିବ । ସେଥିପାଇଁ ତାଙ୍କୁ ବାଟଖର୍ଚ୍ଚ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଯେଉଁ ଛାତ୍ରଛାତ୍ରୀମାନଙ୍କର ସ୍କୁଲରେ ୭୫%ରୁ ଅଧିକ ଉପସ୍ଥାନ ଥିବ, ସେମାନଙ୍କୁ ମାସିକ ୬୦୦ ଟଙ୍କା ହିସାବରେ ଦଶ ମାସକୁ ମୋଟ ଛଅ ହଜାର ଟଙ୍କା ଦିଆଯିବ। ସେହିଭଳି ଯେଉଁ ଛାତ୍ରଛାତ୍ରୀମାନଙ୍କର ୫୦ରୁ ୭୪% ଉପସ୍ଥାନ ଥିବ ସେମାନଙ୍କୁ ମାସକୁ ୪୦୦ ଟଙ୍କା ସହାୟତା ମିଳିବ। ଯେଉଁ ଛାତ୍ରଛାତ୍ରୀଙ୍କର ୩୦ରୁ ୪୯% ଉପସ୍ଥାନ ଥିବ ସେମାନଙ୍କୁ ମାସିକ ୩୦୦ ଟଙ୍କା ମିଳିବ।” ତେବେ ଯେଉଁ ଛାତ୍ରଛାତ୍ରୀମାନଙ୍କର ଉପସ୍ଥାପନା ୩୦%ରୁ କମ୍ ରହିଥିବ, ସେମାନଙ୍କୁ ଯାତାୟାତ ଖର୍ଚ୍ଚ ମିଳିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ବନ୍ଦ ହେବାକୁ ଯାଉଥିବା ୯୬୬ଟି ସ୍କୁଲର ଶିକ୍ଷକମାନଙ୍କୁ ଅନ୍ୟ ସ୍କୁଲଗୁଡ଼ିକୁ ବଦଳି କରାଯିବ। ଯେଉଁ ସ୍କୁଲ୍ରେ ଶିକ୍ଷକଙ୍କ ଅଭାବ ଥିବ, ସେହି ସ୍କୁଲ୍ଗୁଡ଼ିକୁ ସେମାନଙ୍କୁ ବଦଳି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିଭଳି ଏ ସବୁ ସ୍କୁଲ୍ଗୁଡ଼ିକରେ କାମ କରୁଥିବା ପାଚିକମାନଙ୍କ ସଂପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Related Posts