ସବୁ ବୈଷ୍ଣବଙ୍କ ପାଇଁ …

ରାଜ୍ୟ ସ୍ୱାର୍ଥ ପାଇଁ ବୈଷ୍ଣବଙ୍କୁ ସମର୍ଥନ ?

ସତ୍ୟପାଠ ବ୍ୟୁରୋ : ବିଜେପିର ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ପରେ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ଗୋଟିଏ ଦିନ ପୂର୍ବରୁ ପିସିସି ମିଡିଆସେଲ ମୁଖ୍ୟ ସତ୍ୟପ୍ରକାଶ ନାୟକ ଏ ସମର୍ଥନ ପଛରେ ସିଟ୍ ଫର ସପୋର୍ଟ ସ୍କାମ କଥା ଉଠାଇଥିବା ବେଳେ ଆଜି ବରିଷ୍ଠ କଂଗ୍ରେସ ନେତା ଏହାକୁ ରାଜନୈତିକ ବାଧ୍ୟବାଧକତା ବୋଲି କହିଛନ୍ତି । ଯାହାକୁ ଖଣ୍ଡନ କରିଛନ୍ତି ଉଭୟ ଦଳର ନେତା ।

ଅଶ୍ୱିନୀଙ୍କୁ ବିଜେଡିର ସମର୍ଥନ ପଛରେ କୌଣସି ବାଧ୍ୟବାଧକତା ନଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବୈଷ୍ଣବଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ମାଗିଥିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ । ତେଣୁ ଗୁପ୍ତ ବୁଝାମଣା ଓ ଅଘୋଷିତ ମେଂଟ ଭଳି ଆକଳନ ନିରର୍ଥକ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଧର୍ମେନ୍ଦ୍ର କହିଛନ୍ତି ସମାଲୋଚକଙ୍କୁ ସମାଲୋଚନା କରିବାକୁ ଦିଆଯାଉ । ଜଣେ ଦକ୍ଷ ପ୍ରଶାସକଙ୍କୁ ନବୀନ ବାବୁ ସମର୍ଥନ କରିବା ଗଣତନ୍ତ୍ରର ଉତ୍ତରମ ପରମ୍ପରା । ଭବିଷ୍ୟତ କହିବ କାହାର ଲାଭ କାହାର କ୍ଷତି ହେବ । କିନ୍ତୁ ରାଜ୍ୟର ବିକାଶ ପାଇଁ ଏହା ଗୁପ୍ତ ଭାବେ ନୁହେଁ ବରଂ ଉଭୟ ଦଳର ଶୀର୍ଷ ନେତାଙ୍କ ସହ ଖୋଲା ବୁଝାମଣା ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା, ଦୁଇ ଦଳ କହୁଛନ୍ତି ବୈଷ୍ଣବ ରାଜ୍ୟସଭାକୁ ଯିବା ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ । ହେଲେ ଓଡିଶାକୁ ଏହାଦ୍ୱାରା କେଉଁ ପ୍ରକାରର ସ୍ୱାର୍ଥ ମିଳିବ ଓ ରାଜ୍ୟ ଏମିତି କି କଲ୍ୟାଣ ପାଇବ ତାହା କାହାରି ମୁହଁରୁ ବାହାରୁ ନାହିଁ ।

Related Posts