ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ: ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଘରୋଇ ବସ୍ ଚଳାଚଳ ବନ୍ଦ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ନେଇ ସରକାର ଓ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ହୋଇପାରି ନାହିଁ। ରାଜ୍ୟ ବସ୍ ମାଲିକ ସଂଘର ଦାବିକୁ ସରକାର ଗ୍ରହଣ କରୁ ନ ଥିବାରୁ ସଂଘ ଆଜି (ସୋମବାର) ଅବିଭକ୍ତ କୋରାପୁଟ ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଥିବା ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ତେବେ ଏହି ବନ୍ଦ ୨୪ ଘଣ୍ଟା ପାଇଁ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା‌ରେ ଆସନ୍ତାକାଲି ଘରୋଇ ବସ୍ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ। ସରକାର ଘରୋଇ ବସ୍ ମାଲିକ ସଂଘର ଦାବି ନ ମାନିଲେ ଆସନ୍ତା ୧୦ ତାରିଖରେ ସମଗ୍ର ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରଖାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଆଜି ରାଜ୍ୟ ସରକାର ଲକ୍ଷ୍ମୀ ବସ୍ ଯୋଜନା ମାଲକାନଗିରି ଜିଲ୍ଲାରୁ ଶୁଭାରମ୍ଭ କରିବେ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ୩ ହଜାର କୋଟି ଟଙ୍କା ବ୍ୟୟରେ ରାଜ୍ୟରେ ପରିବହନ ସେବାକୁ ସୁଦୃ୍ଢ କରିବା ପାଇଁ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏହି‌ ଯୋଜନାରେ ପ୍ରତି ପଞ୍ଚାୟତରୁ ବ୍ଲକ୍‌, ବ୍ଲକରୁ ଜିଲ୍ଲା ସଦର ମହକୁମା ଓ ଜିଲ୍ଲା ସଦର ମହକୁମାରୁ ରାଜ୍ୟ ରାଜଧାନୀକୁ ବସ୍ ଚଳାଚଳ କରିବାକୁ ଯୋଜନା ହୋଇଛି। ଏହି ଯୋଜନାକୁ ନେଇ ରାଜ୍ୟର ଘରୋଇ ବସ୍ ମାଲିକମାନେ ଆତଙ୍କିତ ହୋଇପଡିଛନ୍ତି। ଏହାଦ୍ବାରା ରାଜ୍ୟର ୧୪ ହଜାର ଘରୋଇ ବସ୍ କ୍ଷତିଗ୍ରସ୍ତ ହେବ ‌ବୋଲି ମାଲିକ ସଂଘ କହିବା ସହିତ ରାଜ୍ୟ ସରକାରଙ୍କୁ କିଛି ପ୍ରସ୍ତାବ ଦେଇଛନ୍ତି। ରାଜ୍ୟ ସରକାର ଲକ୍ଷ୍ମୀ ବସ୍ ଚଲାନ୍ତୁ, ମାତ୍ର ଏହି ଯୋଜନାରେ ଘରୋଇ ବସ୍‌ଗୁଡିକୁ ସାମିଲ କରିବାକୁ ସେମାନେ ଦାବି କରିଛନ୍ତି। ‌ମାତ୍ର ଏହି ଦାବିକୁ ସରକାର ଗ୍ରହଣ କରି ନଥିବରୁ ଘ‌ରୋଇ ବସ୍ ମାଲିକ ସଂଘ ପକ୍ଷରୁ ଏଭଳି ବନ୍ଦ ଡାକରା ଦିଆଯାଇଥିବା ସଂଘ ପକ୍ଷରୁ କୁହାଯାଇଛି।

Related Posts