ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୩ କଂଗ୍ରେସ ନେତାଙ୍କ ବିରୋଧରେ ଠକେଇ ଅଭିଯୋଗ। ଭରତପୁର ଥାନାରେ ରୁଜୁ ହେଲା ମାମଲା। ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଅଜୟ କୁମାରଙ୍କ ସମେତ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ନେତା ବିଶ୍ୱରଞ୍ଜନ ମହାନ୍ତିଙ୍କ ବିରୁଦ୍ଧରେ ଦେଢ଼କୋଟି ଟଙ୍କାର ଠକେଇ ଅଭିଯୋଗରେ ଥାନାରେ ମାମଲା ରୁଜୁ ହୋଇଛି । ଭୁବନେଶ୍ୱର ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶରେ ଭରତପୁର ଥାନାରେ ୧୨୦-ଖ,୪୨୦,୫୦୬ ଓ ୩୪ରେ ପୁଲିସ ମାମଲା ରୁଜୁ କରିଛି ।
ଅଭିଯୋଗ ଅନୁସାରେ, ଗତ ସାଧାରଣ ନିର୍ବାଚନବେଳେ ପ୍ରଚାର ପାଇଁ ଏଲଇଡି ଟିଭି ଓ ଗାଡ଼ି ଯୋଗାଇ ଦେବା ପାଇଁ ଆଶୁତୋଷ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ସହ ତତକାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଦେଢ଼କୋଟି ଟଙ୍କା ଦେବାକୁ ଚୁକ୍ତି କରିଥିଲେ । ଆଡଭାନ୍ସ ବାବଦରେ ୮ଲକ୍ଷ ଟଙ୍କା ମଧ୍ୟ ଶ୍ରୀ ମହାପାତ୍ରଙ୍କୁ ଦିଆଯାଇଥିଲା । ବାକି ଟଙ୍କା ଭୋଟ୍ ସରିବାପରେ ଦେବାକୁ ଏହି ଦୁଇ କଂଗ୍ରେସ ନେତା ପ୍ରତିଶ୍ରୁତି ଦେଇଥିଲେ ।
ତେବେ ଭୋଟ ସରିବା ପରେ ଏହି ଟଙ୍କା ଦେବା ତ ଦୂରର କଥା ଶ୍ରୀ ମହାପାତ୍ରଙ୍କ ଫୋନ୍ ମଧ୍ୟ ଉଭୟ ନେତା ଉଠାଇନଥିଲେ । ପରବର୍ତ୍ତୀ ସମୟରେ ଉଭୟ ଅଜୟ କୁମାର ଓ ଶରତ ପଟ୍ଟନାୟକ ତାଙ୍କୁ ଧମକଚମକ ଦେବା ସହ ବକେୟା ଟଙ୍କା ଫାଙ୍କି ଦେଇଥିଲେ । ଏପରିକି ଶ୍ରୀ ମହାପାତ୍ର ଉଭୟ ନେତାଙ୍କୁ ଭେଟି ଅର୍ଥ ଦେବାକୁ ଜିଦ୍ ଧରିବାରୁ ସେଠାରେ ଥିବା କଂଗ୍ରେସ ନେତା ବିଶ୍ୱରଞ୍ଜନ ମହାନ୍ତି ତାଙ୍କୁ ସେଠାରୁ ବାହାର କରିଦେବା ସହିତ ବିହାରୀ ଗୁଣ୍ଡାଙ୍କ ଦ୍ୱାରା ହତ୍ୟା କରିଦିଆଯିବ ବୋଲି ଧମକ ଦେଇଥିବା ଶ୍ରୀ ମହାପାତ୍ର ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । ବକେୟା ଟଙ୍କା ପାଇବା ଆଶା କ୍ଷୀଣ ଜାଣି ଶ୍ରୀ ମହାପାତ୍ର ଭରତପୁର ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ ତାଙ୍କର ଏଫଆଇଆରକୁ ଗ୍ରହଣ କରିନଥିଲା । ପରେ ସେ ବାଧ୍ୟ ହୋଇ ଭୁବନେଶ୍ୱର ଡିସିପିଙ୍କୁ ଚିଠି ମାଧ୍ୟମରେ ଅବଗତ କରିଥିଲେ ମଧ୍ୟ କିଛି ସୁଫଳ ନମିଳିବାରୁ ଜେଏମଏଫସି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ତେବେ କୋର୍ଟଙ୍କ ହସ୍ତକ୍ଷେପ ଓ ନିର୍ଦ୍ଦେଶ ପରେ ଭରତପୁର ଥାନା ଏହି ଅଭିଯୋଗକୁ ଆଧାର କରି ଅକ୍ଟୋବର ୧୨ତାରିଖରେ କଂଗ୍ରେସ ନେତା ଅଜୟ କୁମାର, ଶରତ ପଟ୍ଟନାୟକ ଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ନାଁରେ ଏଫଆଇଆର ରୁଜୁ କରିଛି । ଏନେଇ କିନ୍ତୁ ଏହି ୩ କଂଗ୍ରେସ ନେତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।





